ଆଇପିଏଲରୁ ଟଙ୍କା ପାଇବେନି ମୁସ୍ତାଫିଜୁର ! କେକେଆରରୁ ବିଦା ହେଲା ପରେ ମିଳିବ କି ଅର୍ଥ ?

NEWS7
the-five-favorite-player-of-rohit-sharma-but-virat-does-not-get-opportunity

ନୂଆଦିଲ୍ଲୀ, ୦୬/୦୧ : ଆଇପିଏଲ ଖେଳିବେନି ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ । ବାଂଲା ଏବଂ ଭାରତ ମଧ୍ୟରେ ସମ୍ପର୍କ ତିକ୍ତତା କାରଣରୁ ଏପରି ନିଷ୍ପତ୍ତି ନେଇଛନ୍ତି ଆଇପିଏଲ କର୍ତ୍ତୃପକ୍ଷ । ତାଙ୍କୁ ଚଳିତ ଥର କୋଲକାତା ନାଇଟ୍ ରାଇଡର୍ସ କ୍ରୟ କରିଥିଲା । କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବଢୁଥିବା ହିଂସା ପାଇଁ ଦୁଇ ଦେଶର ସମ୍ପର୍କ ଖରାପ ହୋଇଥିଲା । ଯାହା ପରେ ତାଙ୍କୁ ଦଳରୁ ବିଦା କରିବାକୁ କେକେଆର ଉପରେ ଚାପ ପଡିଥିଲା ।

କେକେଆର ମୁସ୍ତାଫିଜୁରଙ୍କୁ ୯କୋଟି ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା । ପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗସରେ ଖେଳୁଥିଲେ । ଚେନ୍ନାଇ ପୂର୍ବରୁ ଦିଲ୍ଲୀ ଟିମରେ ସେ ନଜର ଆସୁଥିଲେ । ତେବେ ସେ ଆଇପିଏଲ ନଖେଳିଲେ ମଧ୍ୟ ତାଙ୍କୁ ଟଙ୍କା ପ୍ରଦାନ କରାଯିବ ନା ନାହିଁ ସେନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି ।

କୁହାଯାଉଛି ଯେ, ଆଇପିଏଲ ଖେଳାଳିଙ୍କ ଦରମାରେ କୌଣସି ଅସୁବିଧା ହୁଏ ନାହିଁ । ଯଦି କୌଣସି ବିଦେଶୀ ଖେଳାଳି କ୍ୟାମ୍ପରେ ଯୋଗ ଦେବା ପରେ କିମ୍ବା ଟୁର୍ଣ୍ଣାମେଣ୍ଟ ବେଳେ ଆହତ ହୁଅନ୍ତି ସେମାନଙ୍କୁ ସବୁ ଦରମା ମିଳିବ । ଏହାମଧ୍ୟରୁ ୫୦ ପ୍ରତିଶତ ଇନ୍ୟୁରାନ୍ସ କମ୍ପାନୀ ବହନ କରିଥାନ୍ତି । ଭାରତୀୟ ଖେଳାଳି ଆହତ ହେଲେ ସେମାନଙ୍କୁ ସମସ୍ତ ଅର୍ଥ ଫ୍ରାଞ୍ଚାଇଜ୍ ପ୍ରଦାନ କରିଥାନ୍ତି ।

ତେବେ ରେହମାନ ସାଧାରଣ ବୀମା ଅଧିନରେ ଆସୁନାହାଁନ୍ତି । କାରଣ ସେ ଆହତ କିମ୍ବା କ୍ରିକେଟ ଜନିତ କାରଣରୁ ଦଳରୁ ବିଦା ହୋଇ ନାହାଁନ୍ତି । କେକେଆର ତାଙ୍କୁ ସମସ୍ତ ଅର୍ଥ ପ୍ରଦାନ କରିବା ପାଇଁ ବାଧ୍ୟ ନୁହେଁ । ଏପରିକି ରେହମାନ ବୀମା ଆବେଦନ କରିପାରିବେ ନାହିଁ । କାରଣ ଦୁଇ ଦେଶର ମଧ୍ୟରେ ତିକ୍ତତା କଥା ବୀମାରେ ଉଲ୍ଲେଖ ହୋଇନାହିଁ ।

ଆଇପିଏଲର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ । କିନ୍ତୁ ରେହମାନ ଟଙ୍କାଟିଏ ହେଲେ ପାଇବେ ନାହିଁ । କିନ୍ତୁ ସେ ଆଇନର ଦ୍ୱାରସ୍ଥ ହୋଇପାରିବେ । କୌଣସି ବିଦେଶୀ ଖେଳାଳି ଆଇନର ଚକ୍କରରେ ପଡିବାକୁ ଚାହାଁନ୍ତି ନାହିଁ । ଏହାଦ୍ୱାରା ଅଧିକ ସମୟ ଲାଗିବ । ତେବେ ବାଂଲାଦେଶ ସହ ଯେପରି ସ୍ଥିତି ଉପୁଜିଛି ତାହା ସବୁ ଦିନ ରହିବନି । ଆଗାମୀ ବର୍ଷ ସ୍ଥିତି ସୁଧୁରିପାରେ ।

ସୂଚନାଯୋଗ୍ୟ, ମୁସ୍ତାଫିଜୁର ବାଂଲାଦେଶର ଏକମାତ୍ର ଖେଳାଳି ଭାବେ ଆଇପିଏଲରେ ସାମିଲ ହୋଇଥିଲେ । ପୂର୍ବରୁ ସେ ଅନେକ ସିଜିନରେ ଖେଳିଛନ୍ତି । ତାଙ୍କ ବିରୋଧରେ ଶୃଙ୍ଖଳାଗତ ଅଭିଯୋଗ କେବେ ଆସିନାହିଁ । ଏଥର ମଧ୍ୟ ସେ କେକେଆରରେ ସାମିଲ ହୋଇଥିଲେ । କିନ୍ତୁ ବିଦା ହେଲା ପରେ ତାଙ୍କୁ ଖାଲିହାତରେ ଦେଶକୁ ଫେରିବାକୁ ପଡିବ ।