ନୂଆଦିଲ୍ଲୀ ୧୦।୮: ଗତ ଅଗଷ୍ଟ ୫ ତାରିଖ ଦିନ ବୈଜ୍ଞାନିକମାନେ ଏକ ଖାସ ଘଟଣା ଅନୁମାନ କରିଛନ୍ତି। ଏଥିରେ ପୃଥିବୀର ଘୂର୍ଣ୍ଣନ ଗତି ସ୍ୱଭାବିକରୁ ଧିମେଇ ଯାଇଥିବା ଜାଣିବାକୁ ପାଇଛନ୍ତି। ଏହି ଦିନ ପୃଥିବୀକୁ ନିଜ ଅକ୍ଷରେ ଘୂରିବା ଲାଗି ଅଧିକ ୧.୪୫ ମିଲିସେକେଣ୍ଡ ଲାଗିଛି। ହୁଏତ ଏହା ଖୁବ୍ କମ ସମୟ ହୋଇପାରେ, ହେଲେ ବୈଜ୍ଞାନିକଙ୍କ ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ପୃଥିବୀର ଘୂର୍ଣ୍ଣନ ଲଗାତାର ସଠିକ ରହିଥାଏ ଓ ଏହାର ଗତିରେ ସାମାନ୍ୟ ପରିବର୍ତ୍ତନ ପୃଥିବୀ ଭିତରେ ଓ ବାହାରେ ହେଉଥିବା ବିଭିନ୍ନ ଗତିବିଦ୍ଧିକୁ ଦର୍ଶାଇଥାଏ।
ଆମର ଗୋଟିଏ ଦିନ ଯାହାକୁ ‘ସୌର ଦିବସ’ କୁହାଯାଏ ଏହା ୨୪ ଘଣ୍ଟା ଅର୍ଥାତ ୮୬,୪୦୦ ସେକେଣ୍ଡର ହୋଇଥାଏ। ତେବେ ଅଗଷ୍ଟ ୫ ତାରିଖ ଦିନ ପୃଥିବୀ ଅକ୍ଷ ଚାରିପଟେ ଘୂରିବାକୁ ୮୬,୪୦୦.୦୦୧୪୫ ସେକେଣ୍ଡ ଲାଗିଥିଲା। ଫଳରେ ଦିନଟି ସାମାନ୍ୟ ଦୀର୍ଘ ହୋଇଥିଲା। ଏହି ଅନ୍ତର ସାଧାରଣ ଲୋକଙ୍କୁ ଜଣାପଡିନଥିଲା। ହେଲେ ବୈଜ୍ଞାନିକ ଉପକରଣ ଯୋଗୁ ଏହି ଅନ୍ତର ଜଣାପଡିଛି।
କାହିଁକି ବଦଳେ ପୃଥିବୀର ଘୂର୍ଣ୍ଣନ ବେଗ?
ପୃଥିବୀର ଘୂର୍ଣ୍ଣ ବେଗ କମିବାର ଅନେକ କାରଣ ରହିଛି। ବାୟୁ ପ୍ରବାହରେ ପରିବର୍ତ୍ତନ, ସମୁଦ୍ର ଧାରାର ପ୍ରବାହ ଓ ପୃଥିବୀର ଭିତରେ ହେଉଥିବା ଗତିବିଦ୍ଧି ଏହି ଗତିକୁ ପ୍ରଭାବିତ କରିଥାଏ। ଏହା ଛଡା ଚନ୍ଦ୍ରଙ୍କ ଜୁଆର ଆକର୍ଷଣ ପୃଥିବୀର ଘୂର୍ଣ୍ଣନକୁ ଧିମେଇଥାଏ। ବୈଜ୍ଞାନିକଙ୍କ ଅନୁସାରେ ଏହି ଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଦକ୍ଷିଣ ଗୋଲାର୍ଦ୍ଧରେ ବାୟୁମଣ୍ଡଳୀୟ ପରିସ୍ଥିତି ଅସାଧାରଣ ଥିଲା। କିଛି କ୍ଷେତ୍ରରେ ପ୍ରବଳ ପବନ ପୃଥିବୀ ପୃଷ୍ଠରେ ଏପରି ପ୍ରଭାବ ପକାଏ ଯେପରି ଦିନକୁ ଏକ ଛୋଟ ବିରତୀ ମିଳିଛି। ଏହି କାରଣରୁ ପୃଥିବୀର ଘୂର୍ଣ୍ଣନ ବେଗରେ ୧.୪୫ ମିଲିସେକେଣ୍ଡ ବୃଦ୍ଧି ହୋଇଛି।
ପୃଥିବୀର ଗତିରେ ଚନ୍ଦ୍ର ଓ କୋରର ପ୍ରଭାବ
ପୃଥିବୀର ସମୁଦ୍ର ଜଳରେ ଜୁଆରିଆ ଆକର୍ଷଣ ଯାହା ଚନ୍ଦ୍ରଙ୍କ ଗୁରୁତ୍ୱାକର୍ଷଣ ଯୋଗୁ ହୋଇଥାଏ। ତାହା ମଧ୍ୟ ପୃଥିବୀର ଘୂର୍ଣ୍ଣନ ଗତିକୁ ପ୍ରଭାବିତ କରିଥାଏ। ଏହା ଛଡା ପୃଥିବୀର ତରଳ ବାହ୍ୟ କୋରରେ ହେଉଥିବା ଗତିବଦ୍ଧି ମଧ୍ୟ ଏହି ପ୍ରକ୍ରିୟାର ଅଂଶବିଶେଷ। ଏହି ସବୁ କାରକ ମିଳିତ ପୃଥିବୀର ଗତିକୁ ସାମାନ୍ୟ ପରିବର୍ତ୍ତନ କରିଥାଏ।
ସମୟର ସଠିକତା କାହିଁକି ଜରୁରି?
ବୈଜ୍ଞାନିକଙ୍କ ଅନୁସାରେ ପୃଥିବୀର ଘୂର୍ଣ୍ଣନ ଗତିରେ ଏକ ମିଲିସେକେଣ୍ଡର ପରିବର୍ତ୍ତନ ବି ଜିପିଏସ୍ ନେଭିଗେସନ, ଉପଗ୍ରହ ସଞ୍ଚାର ଓ ଅନ୍ୟ ପ୍ରଯୁକ୍ତି ପ୍ରଣାଳୀକୁ ପ୍ରଭାବିତ କରିପାରେ। ଏହି ସବୁ ପ୍ରଣାଳୀର ସଠିକତା ନିମନ୍ତେ ସମୟ ଗଣନା ସମ୍ପୂର୍ଣ୍ଣ ଠିକ୍ ହେବା ଦରକାର। ଯଦି ପୃଥିବୀର ଗତିରେ ଅଧିକ ପରିବର୍ତ୍ତନ ହୁଏ ତେବେ ଏ ସମ୍ପର୍କିତ ଗଣନାରେ ତ୍ରୁଟି ହୋଇପାରେ, ଯାହା ବିଭିନ୍ନ ପ୍ରଯୁକ୍ତିକୁ ଅସ୍ଥିର କରିପାରେ।
ଏହି ପରିବର୍ତ୍ତନ କୌଣସି ବଡ଼ ସମସ୍ୟାର ସଂକେତ କି?
ପୃଥିବୀର ଘୂର୍ଣ୍ଣନ ବେଗ ଧିମେଇବା ବୈଜ୍ଞାନିକଙ୍କ ଅଧ୍ୟୟନର ବିଷୟ। ଏଥି ଯୋଗୁ ସାଧାରଣ ଲୋକଙ୍କ ନିମନ୍ତେ ତତ୍କାଳ କୌଣସି ବିପଦ ନାହିଁ। ତେବେ ପୃଥିବୀର ଘୂର୍ଣ୍ଣନ ଗତିରେ ଛୋଟ-ଛୋଟ ପରିବର୍ତ୍ତନ ପ୍ରାକୃତିକ ରୂପେ ହୋଇଥାଏ। ତେବେ ବୈଜ୍ଞାନିକ ଏପରି ଘଟଣାକୁ ପୃଥିବୀର ଭିତରେ ଓ ବାହାରେ ହେଉଥିବା ଗତିବିଦ୍ଧିର ଗୁରୁତ୍ୱପୂର୍ଣ୍ଣ ସଂକେତ ମାନିଥାନ୍ତି। ଏହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ଭୌତିକ ଅଥବା ପରିବେଷ ପରିବର୍ତ୍ତନର ଚେତାବନୀ ହୋଇ ପାରେ। ଏଣୁ ଏହାର ଅଧ୍ୟୟନ ଲଗାତାର ଜାରି ରହିଛି।