ନୂଆଦିଲ୍ଲୀ ୧୧।୫: ଗତ ୪ ଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିଲା। ତେବେ ଶନିବାର ସନ୍ଧ୍ୟାରେ ଯୁଦ୍ଧବିରାମ ଘୋଷଣା ପରେ ପରିସ୍ଥିତି ଟିକେ ଶାନ୍ତ ପଡିଛି। ଦୁଇ ଦେଶଙ୍କ ଡାଇରେକ୍ଟର ଜେନେରାଲ ଅଫ ମିଲେଟ୍ରି ଅପରେସନସ୍ (ଡିଜିଏମଓ) ଆଲୋଚନା ପରେ ଏହା ସମ୍ଭବ ହୋଇପାରିଛି। ଏଥିରେ ଏବେ ଏହା ଜାଣିବା ଜରୁରି ହୋଇପଡିଛି ଡିଜିଏମଓ କିଏ ଓ ତାଙ୍କର କାମ କ’ଣ? ଆସନ୍ତୁ ଜାଣିବା।
ଡିଜିଏମଓ ଅର୍ଥାତ ମହାନିର୍ଦ୍ଦେଶକ ସୈନ୍ୟ ଅଭିଯାନ ଭାରତୀୟ ସେନାର ଏକ ଉଚ୍ଚପଦବୀ, ଯିଏ ସବୁପ୍ରକାରର ସୈନ୍ୟ ଅଭିଯାନ ଦାୟିତ୍ୱ ସମ୍ଭାଳନ୍ତି। ବର୍ତ୍ତମାନ ଭାରତର ଡିଜିଏମଓ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ। କୁହାଯାଉଛି ସୀମା ଉପରେ ମୁତୟନ ସୈନିକଙ୍କ ଠାରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ରରେ ଚାଲୁଥିବା ସବୁ ଅଭିଯାନର ଗାଇଡଲାଇନ ଓ କମାଣ୍ଡ ତାଙ୍କରୀ ଉପରେ ନ୍ୟସ୍ତ। କୌଣସି ପ୍ରକାର ସଂଘର୍ଷ ପରିସ୍ଥିତିରେ ଡିଜିଏମଓ ହିଁ ସେହି ଅଧିକାରୀ ଯିଏ ସର୍ବ ପ୍ରଥମେ ଯୁଦ୍ଧପାଇଁ ରଣନୀତି ପ୍ରସ୍ତୁତ କରନ୍ତି।
ଡିଜିଏମଓ ଙ୍କ କାମ କେବଳ ତୃଣମୂଳ ସ୍ତରର କମାଣ୍ଡ ପର୍ଯ୍ୟନ୍ତ ସୀମିତ ନଥାଏ। ଡିଜିଏମଓ ଆତଙ୍କବାଦ ବିରୋଧୀ ସବୁଅଭିଯାନ, ସୀମା ପ୍ରବନ୍ଧନ ଓ ଶାନ୍ତି ସ୍ଥାପନା ଭଳି ମିସନ ଲାଗି ମଧ୍ୟ ରଣନୀତି ପ୍ରସ୍ତୁତ କରନ୍ତି। ଡିଜିଏମଓ ସେନାର ୩ ଶାଖା ସ୍ଥଳ ସେନା, ବାୟୁସେନା ଓ ନୌସେନା ପାରସ୍ପରିକ ସମନ୍ୱୟ ସହିତ କାମ କରନ୍ତି। ସେ ସୁରକ୍ଷା ଏଜେନ୍ସୀ ଓ ଗୁଇନ୍ଦା ତନ୍ତ୍ର ମଧ୍ୟରେ ସେତୁ ଭଳି କାମ କରିଥାନ୍ତି। ଏଣୁ ଡିଜିଏମଓଙ୍କ ନିକଟକୁ ସମସ୍ତ ସାମରିକ ଓ ଗୁଇନ୍ଦା ରିପୋର୍ଟ ପ୍ରଥମେ ପହଞ୍ଚେ।
ଏହି ସବୁ ସୂଚନା ଆଧାରରେ ସେ ଯୋଜନା ପ୍ରସ୍ତୁତ କରନ୍ତି ଓ ପରବର୍ତ୍ତି ରଣନୀତି ନିର୍ଦ୍ଧାରଣ କରନ୍ତି। ଏଥି ଲାଗି ତାଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସ୍ସ ୱିଙ୍ଗ (ର), ଇଣ୍ଡିଲେଜେନ୍ସୀ ବ୍ୟୁରୋ (ଆଇବି) ଓ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏନଆଇଏ) ଭଳି ଏଜେନ୍ସୀଙ୍କ ସହିତ ତାଙ୍କୁ ନିରନ୍ତର ସମ୍ପର୍କରେ ରହିବାକୁ ପଡିଥାଏ। ଏହା ଛଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏବଂ ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଉଚ୍ଚ ଅଧିକାରୀଙ୍କୁ ସମୟସମୟରେ ତାଙ୍କୁ ରିପୋର୍ଟ କରିବାକୁ ପଡିଥାଏ।
ସୂଚନା ଅନୁସାରେ ପାକିସ୍ତାନୀ ସେନାରେ ଡିଜିଏମଓ ମେଜର ଜେନେରାଲ ରାଙ୍କର କୌଣସି ବରିଷ୍ଠ ଅଫିସର ଥାନ୍ତି। କୁହାଯାଉଛି ପାକିସ୍ତାନ ସେନାରେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ମଧ୍ୟ ଡିଜିଏମଓ ନିଯୁକ୍ତ କରାଯାଏ। ପାକିସ୍ତାନ ଡିଜିଏମଓ ସୈନ୍ୟ ଅପରେସନର ପ୍ଲାନିଂ କରନ୍ତି ଓ ସେନାମୁଖ୍ୟଙ୍କୁ ରିପୋର୍ଟ କରନ୍ତି। ତାଙ୍କ କାମ ମଧ୍ୟ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ସୈନ୍ୟ ଗତିବିଦ୍ଧି ନିୟନ୍ତ୍ରଣ କରିବା। ଏପରି ଅଧିକାରୀଙ୍କ ପ୍ରଶିକ୍ଷଣ ପାକିସ୍ତାନ ମିଲେଟ୍ରି ଆକାଡମୀରୁ ହୋଇଥିବା ଆବଶ୍ୟକ। ପାକିସ୍ତାନ ସେନାର ଡିଜିଏମଓଙ୍କୁ ସେନା ମୁଖ୍ୟ ଓ ଜେନେରାଲ ହେଡକ୍ୱାର୍ଟର୍ସ ମିଳିତ ଚୟନ କରନ୍ତି।