ଅବଧି ସରିଲା; ଏପର୍ଯ୍ୟନ୍ତ ପିଲାଙ୍କୁ ମିଳିଲାନି ୟୁନିଫର୍ମ, ଅସନ୍ତୋଷ ଛାତ୍ରଛାତ୍ରୀ

Published By : Prameya-News7 Bureau | August 25, 2025 IST

ବୋରିଗୁମା : ପିଲା କିଭଳି ସ୍କୁଲ ମୁହାଁ ହେବେ ତାକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ସ୍ମାର୍ଟ କ୍ଳାସ ସ୍ମାର୍ଟ କିଚେନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।  ମଧ୍ୟାନ ଭୋଜନ ଠାରୁ ଆରମ୍ଭ କରି ପିଲାଙ୍କୁ ମାଗଣା ୟୁନିଫର୍ମ ସୁବିଧା ମିଳୁଛି। ହେଲେ ଚଳିତ ବର୍ଷ ଅବଧି ଶେଷ ହୋଇଛି ତଥାପି ଏ ପର୍ଯ୍ୟନ୍ତ ବୋରିଗୁମ୍ମା ବ୍ଲକରେ ପିଲାଙ୍କୁ ମିଳିନି ସ୍କୁଲ ୟୁନିଫର୍ମ।

ପୋଷାକ ଯୋଗାଣକୁ ନେଇ ଚାଲିଛି ଟଣାଓଟରା।  ଏ ଯାଏଁ ମିଳିଲାନି ସ୍କୁଲ ୟୁନିଫର୍ମ।  ପୁରୁଣା ଚିରା ଫଟା ଡ୍ରେସ ପିନ୍ଧି ସ୍କୁଲ ଆସୁଛନ୍ତି ପିଲା। ଅଗଷ୍ଟ ୧୫ ରେ ପିଲା ପୁରୁଣା ଡ୍ରେସ ପିନ୍ଧି ଆସିଲେ। ଗତ ଜୁଲାଇ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ଭୁଲିଗଲେ। କେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ପୋଷାକ ବିତରଣ ଦାୟିତ୍ୱ ନେବେ ତାଙ୍କ ମଧ୍ୟରେ ଟଣା ଓଟରା ହେଉଛନ୍ତି।ଗତ ଜୁଲାଇ ୧୫ ସୁଦ୍ଧା ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ଲକ୍ଷ୍ୟ ଥିଲା। ଜଣେ ପିଛା ୫୦୦ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ ଦିଆଯିବ। ଟେଲରିଂ ୟୁନିଟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପୋଷାକ ତିଆରି ୟୁନିଟ୍ ଥିବା ଏମଏସଇଙ୍କଠାରୁ ପୋଷାକ କ୍ରୟ କରାଯିବ ଯଦି କୌଣସି କ୍ଷେତ୍ରରେ ଏମାନେ ରାଜି ନ ହୁଅନ୍ତି ତେବେ ଜିଲ୍ଲାପାଳଙ୍କ ଅନୁମୋଦନରେ ସ୍କୁଲ ପରିଚାଳନା କମିଟି ପୋଷାକ କିଣି ବଣ୍ଟନ କରି ପାରିବେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଥିଲା। ମାର୍ଗଦର୍ଶିକା ଅନୁଯାୟୀ ପୋଷାକ ରଙ୍ଗ ସ୍ୱଚ୍ଛତା ଓ ଗୁଣବତ୍ତାକୁ ବିଶେଷ ଧ୍ୟାନ ଦିଆଯିବ। ନିର୍ଦ୍ଧାରଣ ସମୟ ସୀମା ସହ ଛାତ୍ରଛାତ୍ରୀଙ୍କୁ ସଠିକ ମାପ ହିସାବରେ ପୋଷାକ ଦିଆଯିବ। ଚଳିତ ଶିକ୍ଷା ବର୍ଷ ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ପାଇଁ ପାଣ୍ଠି ମଞ୍ଜୁର ହୋଇଛି। ତେବେ ପୋଷାକ ବିତରଣରେ କାହିଁକି ବିଳମ୍ବ ବୋଲି କହିଛନ୍ତି ଅଭିଭାବକ।

ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ସୁଦ୍ଧା ପୋଷାକ ବିତରଣ ଶେଷ ହୋଇଥାଏ ପିଲା ଅଗଷ୍ଟ ୧୫ରେ ନୂଆ ପୋଷକ ପିନ୍ଧି ସ୍କୁଲ ଆସନ୍ତି ହେଲେ ଚଳିତ ବର୍ଷ ପୁରୁଣା ପୋଷାକ ପିନ୍ଧି ସ୍କୁଲ ଆସିଲେ ଆଉ ପ୍ରଥମ ଶ୍ରେଣୀର ପିଲା ବିନା ୟୁନିଫର୍ମ ରେ ସ୍କୁଲ ଆସୁଛନ୍ତି।ବର୍ଷା ଦିନେ ପୋଷାକ ଓଦା ହୋଇଗଲା ତେବେ ପିଲା ପରଦିନ ବିନା ୟୁନିଫର୍ମ ରେ ସ୍କୁଲ ଆସିବାକୁ ବାଧ୍ୟ ହେଉଛନ୍ତି।ଏ ସମ୍ପର୍କରେ ଆମେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ପଚାରି ଥିଲୁ ମନ୍ତ୍ରୀ ପ୍ରତିକ୍ରିୟା ରେ କହିଛନ୍ତି ୟୁନିଫର୍ମ ଦେବା ପାଇଁ ସବୁ ପ୍ରୋସେସ ଚାଲୁ ରହିଛି ଆଉ ଯେତେ ଶୀଘ୍ର ଏସ ଏସ ଜି ଗ୍ରୁପ ଏବଂ   ଏମ ଏ ସେମ ଇ ହେଉ ଏମାନଙ୍କ ମାଧ୍ୟମରେ ପୋଷାକ ବଣ୍ଟନ କରାଯିବ।ପୋଷାକ ବିତରଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ମାଗଣା ପୋଷାକ ବିତରଣ ପାଇଁ ସମୟ ସୀମା ସରିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ପିଲା ୟୁନିଫର୍ମ ପାଇଲେ ନାହିଁ କେବେ ୟୁନିଫର୍ମ ପାଇବେ ତାକୁ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.