ମୌସୁମୀରେ ଏପର୍ଯ୍ୟନ୍ତ ଦେଶକୁ ମିଳିଛି ସ୍ୱଭାବିକରୁ ୭% ଅଧିକ ବର୍ଷା, ଜାଣନ୍ତୁ କେଉଁ ରାଜ୍ୟରେ ବର୍ଷିଛି କେତେ?

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ ୨୮।୭: ଦେଶର ବିଭିନ୍ନ ଭାଗରେ ଏବେ ଭୀଷଣ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦେଶରେ ଏ ପର୍ଯ୍ୟନ୍ତ ହୋଇଥିବା ବର୍ଷାର ତଥ୍ୟ ଜାରି କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଚଳିତବର୍ଷ ଭାରତରେ ୧ ଜୁନରେ ମୌସୁମୀ ପ୍ରବାହ ପରଠାରୁ ଏ ପର୍ଯ୍ୟନ୍ତ ସ୍ୱଭାବିକରୁ ୭% ଅଧିକ ବର୍ଷା ହେଲାଣି। ହେଲେ ବର୍ଷାର ବିତରଣ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ରହିଛି। 

ଆଇଏମଡିଙ୍କ ଅନୁସାରେ ଏ ପର୍ଯ୍ୟନ୍ତ ଦେଶରେ ୪୪୭.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏହି ସମୟ ପର୍ଯ୍ୟନ୍ତ ଦେଶରେ  ସ୍ୱଭାବିକ ବର୍ଷା ପରିମାଣ ୪୧୮.୯ ମିଲିମିଟର ରହିବା କଥା। ଆଞ୍ଚଳିକ ସ୍ତରରେ ବର୍ଷାର ତଥ୍ୟରେ ବେଶ୍  ଭିନ୍ନତା ଦେଖାଯାଇଛି। ଆଇଏମଡିଙ୍କ ତଥ୍ୟ ଅନୁସାରେ ରାଜସ୍ଥାନ, ଲଦ୍ଦାଖ, ନାଗାଲାଣ୍ଡ, ମଣିପୁର ଓ ସିକ୍କିମରେ ସ୍ୱଭାବିକରୁ ବହୁତ  ଅଧିକ ବର୍ଷା ରେକର୍ଡ ହୋଇଛି। ଏଣୁ ଏହି ସବୁ ରାଜ୍ୟଙ୍କୁ ଲାର୍ଜ ଏକ୍ସେସ ରେନିଫଲ ଶ୍ରେଣୀରେ ରଖା ଯାଇଛି। 

କେବଳ ରାଜସ୍ଥାନରେ ଏପର୍ଯ୍ୟନ୍ତ ୩୮୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏଠାରେ ସ୍ୱଭାବିକ ବର୍ଷାର ପରିମାଣ ୨୦୦.୪ ମିଲିମିଟର ହୋଇଥାଏ। ସେହପରି ଲଦ୍ଦାଖରେ ଯେଉଁଠି ସାଧାରଣତଃ କମ ବର୍ଷା ହୁଏ ସେଠାରେ ୧୦.୭ ମିଲିମିଟର ତୁଳନାରେ ୩୦ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱଭାବିକରୁ ୧୮୧ ପ୍ରତିଶତ ଅଧିକ। ନାଗାଲାଣ୍ଡ ଓ ମଣିପୁରରେ ଯଥାକ୍ରମେ ୫୧୪.୫ ଓ ୪୫୭.୯ ମିଲିମିଟର ବର୍ଷା ହୋଇଛି। ଯାହା ସ୍ୱଭାବିକ ଠାରୁ ସାମାନ୍ୟ ଅଧିକ। ତେବେ ସିକ୍କିମରେ ୫୯୮.୪ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱଭାବିକ ଠାରୁ ୭୮ ପ୍ରତିଶତ ଅଧିକ। 

ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅଧିକ ବର୍ଷା ରେକର୍ଡ ହୋଇଛି ସେଥିରେ ମଧ୍ୟପ୍ରଦେଶ, ଗୁଜରାଟ, ଦାଦରା ଓ ନଗର ହଭେଲୀ ,ଡାମନ, ଡ୍ୟୁ, ଝାଡ଼ଖଣ୍ଡ ଓ ଆସାମ ଆଦି ରାଜ୍ୟ ଅଛନ୍ତି। ଏଥିରେ ମଧ୍ୟ ପ୍ରଦେଶରେ ଏପର୍ଯ୍ୟନ୍ତ ୬୪୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ୱଭାବିକରୁ ୫୪ ପ୍ରତିଶତ ଅଧିକ। ସେହପରି ଗୁଜରାଟରେ ୪୬୩.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଏହା ସ୍ୱଭାବିକରୁ ୩୫% ଅଧିକ ରହିଛି। ଏଥିରେ କେନ୍ଦ୍ର ଶାସିତ ପ୍ରଦେଶ ଦାଦରା ଓ ନଗର ହଭେଲୀରେ ୧୪୬୬.୧ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱଭାବିକ ଠାରୁ ୨୭% ଅଧିକ ବୃଷ୍ଟିପାତ ବୋଲି ଆଇଏମଡି କହିଛନ୍ତି। 

ତେବେ ସ୍ୱଭାବିକ ବର୍ଷା ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଓଡିଶା, ଗୋଆ, ତ୍ରିପୁରା, ମିଜୋରାମ, ପଶ୍ଚିମବଙ୍ଗ, ଜମ୍ମୁ ଓ କାଶ୍ମୀର, ଛତିଶଗଡ଼, ପୁଡୁଚେରୀ ଓ ଆଣ୍ଡାମାନ ଦ୍ୱୀପ ସମୂହରେ ସ୍ୱଭାବିକ ବର୍ଷା ଲାଗି ରହିଛି। ଏହି ସବୁ ରାଜ୍ୟରେ ହାରାହାରି ବର୍ଷା ୧୯% ମଧ୍ୟରେ ରହିଛି। 

ତେବେ ସ୍ୱଳ୍ପବୃଷ୍ଟି ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଅଋଣାଚଳ ପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର ଓ ଲକ୍ଷାଦ୍ୱୀପରେ ସ୍ୱଭାବିକରୁ କମ୍ ବର୍ଷା ରେକର୍ଡ ହୋଇଛି। ଅଋଣାଚଳ ପ୍ରଦେଶରେ ୯୪୨.୨ ମିଲିମିଟର ବର୍ଷା ହେବା ସ୍ଥାନରେ ଏ ପର୍ଯ୍ୟନ୍ତ ୫୨୧.୮ ମିଲିମିଟର ବର୍ଷା ହୋଇଛି। ଏପର୍ଯ୍ୟନ୍ତ ବିହାରରେ ମାତ୍ର ୨୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱଭାବିକ ଠାରୁ ୪୩% କମ୍। ଗତ ମେ ମାସରେ ଆଇଏମଡି ଅନୁମାନ କରିଥିଲେ ଯେ ମନସୁନ କାଳରେ ଭାରତରେ ଦୀର୍ଘକାଳୀକ ଅବଧିରେ ୮୭ ସେମି ଓ ହାରାହାରି ୧୦୬% ବର୍ଷା ହେବ । ଉଲ୍ଲେଖଯୋଗ୍ୟ ଯେ ୯୬ରୁ ୧୦୪% ବର୍ଷାକୁ ସ୍ୱଭାବିକ ବର୍ଷା କୁହାଯାଏ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.