MLA's salary : ବିଧାୟକଙ୍କ ଦରମାରେ ଓଡିଶା ନମ୍ବର 1, ବଢ଼ିଲା କେତେ ଦରମା ?

NEWS7
the-burning-train-took-5-years-to-finish

ଭୁବନେଶ୍ୱର : ବିଧାୟକଙ୍କ ଦରମାରେ ଓଡିଶା 1 ନମ୍ବର । ବିଧାୟକଙ୍କ ଦରମା କ୍ଷେତ୍ରରେ ସମଗ୍ର ଦେଶରେ 27 ନମ୍ବର ସ୍ଥାନରେ ଥିବା ଓଡିଶା ଏବେ 1 ନମ୍ବର ସ୍ଥାନରେ । ମଙ୍ଗଳବାର ବିଧାନସଭାରେ ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ 2025 ଗୃହରେ ପାରିତ ହୋଇଛି । ପାରିତ ବିଲ୍ ଅନୁଯାୟୀ ଏଣିକି ବିଧାୟକଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ମିଶାଇ ପହଞ୍ଚିଛି ସାଢେ ତିନି ଲକ୍ଷରେ। ତେବେ ଦେଶରେ ବିଧାୟକଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରାଜ୍ୟ ଥିଲା ଝାରଖଣ୍ଡ । ଝାରଖଣ୍ଡର ବିଧାୟକ 2 ଲକ୍ଷ 88 ହଜାର ଟଙ୍କା ଦରମା ପାଉଛନ୍ତି । ନଜର ପକାନ୍ତୁ ଅନ୍ୟ ରାଜ୍ୟରେ କେତେ ଟଙ୍କା ଦରମା ପାଆନ୍ତି ଜନପ୍ରତିନିଧିମାନେ । ମହାରାଷ୍ଟ୍ର 2 ଲକ୍ଷ 88 ହଜାର, ତେଲେଙ୍ଗାନା ଓ ମଣିପୁର ବିଧାୟକମାନେ ପାଇଥାନ୍ତି 2 ଲକ୍ଷ 50 ହଜାର ଟଙ୍କା । ହିମାଚଳ ପ୍ରଦେଶ ରେ 2 ଲକ୍ଷ 10 ହଜାର, କର୍ଣ୍ଣାଟକରେ 2 ଲକ୍ଷ 5 ହଜାର ଟଙ୍କା ଦରମା ପାଆନ୍ତି ବିଧାୟକ। କେରଳର ପ୍ରତି ବିଧାୟକ ପାଖାପାଖି ୭୦ ହଜାର ଟଙ୍କା ଦରମା ପାଉଛନ୍ତି । ଆଉ ଦିଲ୍ଲୀର ବିଧାୟକମାନେ ଦ୍ୱିତୀୟ ସର୍ବନିମ୍ନ ୯୦ ହଜାର ଟଙ୍କା ଦରମା ପାଉଛନ୍ତି । ତେବେ ଦୀର୍ଘ ଦିନ ଧରି ଓଡ଼ିଶା ବିଧାନସଭାରେ ବିଧାୟକମାନେ ନିଜର ଦରମା ବଢ଼ାଇବାକୁ ଦାବି କରି ଆସୁଥିଲେ । ଯାହାକୁ କି ସରକାର ଏବେ ମୋହର ମାରିଛନ୍ତି । ମଙ୍ଗଳବାର ଶୀତ ଅଧିବେଶନ ସରିବା ପୂର୍ବରୁ ବିଧାନସଭା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍ ୨୦୨୫ ପାରିତ ହୋଇଛି। ଯାହାପରେ ଆନୁସଙ୍ଗିକ ସୁବିଧାକୁ ମିଶାଇ ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଲକ୍ଷ ଟପିଛି । ନଜର ପକାନ୍ତୁ କେଉଁ ସୁବିଧା ବାବଦକୁ କେତେ ଟଙ୍କା ପାଇବେ ବିଧାୟକ?

  • ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢି ୯୦ ହଜାର ହୋଇଛି
  • ବ୍ୟୟ ଭତ୍ତା ବାବଦ ୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି ପାଇଛି
  • ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ବିଧାୟକଙ୍କୁ ମିଳିବ ୭୫ ହଜାର ଟଙ୍କା
  • କମିଟି ବୈଠକ ବାବଦକୁ ୩୦୦୦, ରାଜ୍ୟ ବାହାରେ ବୈଠକ ପାଇଁ ୧୦ ହଜାର ଟଙ୍କା
  • ମାସିକ ଯାନ ବାହନ ଭତ୍ତା ବାବଦକୁ ୫୦ ହଜାର ଟଙ୍କା ଦିଆଯିବ
  • ବିଧାୟକଙ୍କୁ ବିଦ୍ୟୁତ ଦେୟ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୩୫ ହଜାର ଟଙ୍କା ମିଳିବ
  • ବାସଭବନ ମିଳିନଥିଲେ, ରହଣି ପାଇଁ ଦୈନିକ ୨ ହଜାର ଟଙ୍କା ମିଳିବ

 ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପାଇବା ପରେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଣିକି କେତେ ଟଙ୍କା ଦରମା ପାଇବେ । ମୁଖ୍ୟମନ୍ତ୍ରୀ ଏଣିକି ଦରମା ସହ ଅନ୍ୟାନ୍ୟ ଭତ୍ତା ମିଶାଇ ପାଇବେ 3 ଲକ୍ଷ 74 ହଜାର ଟଙ୍କା, ବିଧାୟକମାନେ 3 ଲକ୍ଷ 45 ହଜାର, ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ 3 ଲକ୍ଷ 68 ହଜାର, ଉପ ବାଚସ୍ପତି ଓ ଉପ ରାଷ୍ଟ୍ରମନ୍ତ୍ରୀ 3 ଲକ୍ଷ 56 ହଜାର ଟଙ୍କା । ସେହିଭଳି କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଉପ ମୁଖ୍ୟ ସଚେତକ 3 ଲକ୍ଷ 62 ହଜାର ଦରମା ପାଇବେ । ଉପ ମୁଖ୍ୟ ସଚେତକ 3 ଲକ୍ଷ 50 ହଜାର ଟଙ୍କା ଦରମା ପାଇବେ । ଦରମା ବୃଦ୍ଧି ନେଇ ତିନି ଦଳର ସଦସ୍ୟ ସ୍ୱାଗତ କରିଛନ୍ତି ଏବଂ ଏହାଦ୍ୱାରା ପୂର୍ବତନ ଜନପ୍ରତିନିଧିମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି...

ଶେଷ ଥର ପାଇଁ 2017 ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା । ସଂଶୋଧନ ଅନୁଯାୟୀ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ ଏବଂ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା...