ଆନନ୍ଦପୁର: ମେଡିକାଲରେ ସାନ ଭାଇର ମୃତଦେହ ଧରି ହଟହଟା ହେଉଛି ବଡ ଭାଇ। ଦୀର୍ଘ ୧୮ ଘଣ୍ଟା ହେବ ମୃତଦେହ ମେଡିକାଲ ବାରଣ୍ଡାରେ ପଡି ରହିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ କେହି ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ପୋଲିସକୁ ଖବର ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନାହିଁ। ଫଳରେ ମୃତଦେହର ବ୍ୟବଚ୍ଛେଦ ନହୋଇ ପଡିରହିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରେବ ଗାଁର ବିଭୁତି ଭୂଷଣ ଗିରୀଙ୍କ ଗତକାଲି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ କେନ୍ଦୁଝର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ସମୟରେ ବାଟରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଥିଲା। ଫଳରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଶବ ବ୍ୟବଚ୍ଛେଦ କରାଯାଏ। ସେଥିରେ ପୋଲିସ ଆସି ମାମଲା ରୁଜୁ କରିଥାଏ। କିନ୍ତୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଓଲଟା ଚିତ୍ର ଦେଖିବାକୁ ମିଳିଛି।