କୋର୍ଟ ନୋଟିସ୍ ସତ୍ତ୍ୱେ ମଞ୍ଚରେ ଚଢିଲେ ପୀୟୂଷ, କହିଲେ ନୋଟିସ୍ ମିଳିବା ପରେ ନିଷ୍ପତ୍ତି

NEWS7
the-bodies-of-two-youths-of-balangir-were-recovered-from-tamil-nadu

ଚୌଦ୍ୱାର ୦୯/୦୧: ଏ ପରା ଯାତ୍ରା । ଏଠି ନିଇତି ଚାଲେ ନାଟକ । ଆଉ ଏହି ନାଟକର ଆମେ କଳାକାର । ରଙ୍ଗ ବୋଳି ହେବୁ, ଅଭିନୟ କରିବୁ । ସେ ମଞ୍ଚ ହେଉ ବା ମଞ୍ଚ ବାହାରେ । ସବୁ କିଛି ଚାଲେ ରଙ୍ଗମଞ୍ଚରେ । ଯାତ୍ରା ବାଦ ବିବାଦ ଭିତରେ ମୁହଁ ଖୋଲିଛନ୍ତି ଯାତ୍ରା ଜଗତର ଅଭିନେତା ବ୍ୟାଡ ବୟ ପୀୟୂଷ ତ୍ରିପାଠୀ । କୋର୍ଟ ନୋଟିସ ସତ୍ତ୍ୱେ ମଞ୍ଚରେ ଚଢି ସମସ୍ତଙ୍କୁ କରାଇଛନ୍ତି ତାଜୁବ । 

ବର୍ଷ ଆରମ୍ଭରୁ ମଞ୍ଚରେ ଅଭିନୟକୁ ନେଇ ଆରମ୍ଭ ହୋଇଛି ଟଣାଓଟରା । କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝାମେଲା ଆହୁରି ବଢ଼ିଯାଇଛି ଚୌଦ୍ୱାରରେ ଚାଲିଥିବା ଯାତ୍ରା ମଞ୍ଚରେ । କଟକ ଜିଲ୍ଲା ଟାଙ୍ଗିରେ ଯାତ୍ରା ସିଂହବାହୀନି ତୁ ମୋ ବଜରଙ୍ଗି ନାଟକ ପରିବେଷଣ କରିବାର ଥିଲା । ଯାହାକୁ ନେ଼ଇ ପୀୟୂଷ ଦେଖିବା ପାଇଁ ବହୁ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପାଖାପାଖି ୧୦୦୦ ରୁ ଅଧିକ ଟିକଟ ବିକ୍ରି ହୋଇଥିବା କଥା କମିଟି ତରଫରୁ ସୂଚନା ମିଳିଥିବା ବେଳେ ଦର୍ଶକଙ୍କ ମଧ୍ୟରେ ବହୁ ଉତ୍ସାହିତ ଥିବା ଦେଖାଦେଇଥିଲା ।

 

ତେବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ପାଖାପାଖି ରାତି ୧୨.୪୫ ମିନିଟ୍ ରେ ମଞ୍ଚରେ ଚଢିଥିଲେ ସେ । ଏମିତିକି ସେ ଅଭିନୟ ବି କରିଥିଲେ । ଆଉ ନାଟକ ଶେଷରେ ମଞ୍ଚରେ ଓହ୍ଲାଇ ପ୍ରତିକ୍ରିୟା ବି ରଖିଥିଲେ । କହିଥିଲେ ଯେପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ନୋଟିସ୍ ନ ଆସିଛି ସେ ମଞ୍ଚରେ ନାଟକ ପରିବେଷଣ କରିବେ । ପୀୟୂଷ କହିଛନ୍ତି, ଆଇନକୁ ସମ୍ମାନ ଦେଉଛି । ନୋଟିସ୍ ମିଳିଲେ ଯାତ୍ରା ମାଲିକ ଏବଂ ଓକିଲଙ୍କ ସହ ପରାମର୍ଶ କରି ଆଗାମୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନେବି ।

ସୂଚନା ଥାଉକି, ଗତ କିଛିଦିନ ତଲେ ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ଲଗାଇଛନ୍ତି ରୋକ । ଅପେରା ସୂର୍ଯ୍ୟମନ୍ଦିରରେ ଥିବା ବେଳେ ସିଂହବାହିନୀ ସହ ଯୋଡ଼ି ହେବାକୁ ଇଚ୍ଛା କରିଥିଲେ ପୀୟୂଷ । ଏନେଇ ସୁର୍ଯ୍ୟମନ୍ଦିର ମାଲିକଙ୍କ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପୂର୍ବରୁ ଚୁକ୍ତିଖିଲାପ ନେଇ ବର୍ଷେ ପାଇଁ ମଞ୍ଚରୁ ବାରଣ ଲଗାଇଥିଲା ଯାତ୍ରା ମାଲିକ ସଂଘ ।

ଏହା ପରେ ଜାନୁଆରୀ ୫ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ସୂର୍ଯ୍ୟମନ୍ଦିର ସହ କଣ୍ଟ୍ରାକ୍ଟ ଥିବାରୁ ଏହା ଶେଷ ନହେବା ପୁର୍ବରୁ ଅନ୍ୟ ଯାତ୍ରା ପାର୍ଟିରେ କାମ ଆରମ୍ଭ କରିଥିଲେ । ଏହାକୁ ନେଇ ସୁର୍ଯ୍ୟମନ୍ଦିର ମାଲିକ ପ୍ରମୋଦ କୁମାର ସ୍ଵାଇଁ। କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢିବାକୁ ପୀୟୂଷଙ୍କୁ ବାରଣ କରାଯାଇଛି।