ଆରବ ସାଗରରେ ଇରାନ-ଆମେରିକା ଯୁଦ୍ଧ ! ତେହେରାନ୍ ଡ୍ରୋନ୍ ଖସିବା ପରେ ହେବ କି ବଡ ଆକ୍ରମଣ ?

NEWS7
thats-why-kejriwal-did-not-resign-from-the-post

ନୂଆଦିଲ୍ଲୀ,୪|୦୨ : ବଢିଲା ତିକ୍ତତା । ଚରମ ସୀମାରେ ଇରାନ-ଆମେରିକା ଉତ୍ତେଜନା । କେବଳ କଥାବାର୍ତ୍ତାରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ଧିରେଧିରେ ସାମରିକ ରୂପ ନେଲାଣି । ଇରାନର ଡ୍ରୋନକୁ ଆମେରିକା ଖସାଇ ଦେବା ପରେ ଦୁଇ ଦେଶ ଯୁଦ୍ଧଆଡେ ମୁହାଁଇଲେଣି ।

ରିପୋର୍ଟ ଅନୁସାରେ, ଇରାନର ଏକ ଡ୍ରୋନକୁ ଖସାଇ ଦେଇଛି ଆମେରିକା ସେନା । ଆରବ ସାଗରରେ ଆମେରିକୀୟ ବିମାନ ବାହକ ଆବ୍ରାହମ ଲିଙ୍କନ ନିକଟକୁ ଆସୁଥିବା ଏକ ଇରାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ଜଣେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଇରାନର ଶାହେଦ-୧୩୯ ଡ୍ରୋନ ଆମେରିକୀୟ ନୌସେନା ବିମାନ ବାହକ ଆବ୍ରାହମ ଲିଙ୍କନର ବହୁତ ନିକଟତର ହୋଇଥିଲା। ଏହାକୁ ଏକ ବିପଦ ବୋଲି ବିଚାର କରି, ଆମେରିକୀୟ ବାୟୁସେନାର ଏକ F-35 ଗୁପ୍ତ ଯୁଦ୍ଧ ବିମାନ ଏହାକୁ ମଝି ଆକାଶରେ ଧ୍ୱଂସ କରିଦେଇଛି । ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିଥିବା ବେଳେ ଏହି ଘଟଣା ଘଟିଛି । ଆମେରିକା ନୌସେନା ବିମାନ ବାହକ ‘ଆବ୍ରାହାମ ଲିଙ୍କନ’ ଏହି ଅଞ୍ଚଳରେ ଏକ ସୁରକ୍ଷା ମିଶନରେ ନିୟୋଜିତ ହୋଇଛି। ଆମେରିକୀୟ ସେନା ଡ୍ରୋନର କାର୍ଯ୍ୟକଳାପକୁ ଏକ ସମ୍ଭାବ୍ୟ ସୁରକ୍ଷା ବିପଦ ବୋଲି ବିବେଚନା କରିଥିଲା। ତେବେ ଏଥିରେ କୌଣସି ଆମେରିକୀୟ ମୃତାହତ ହୋଇନାହାଁନ୍ତି ।

ଶାହେଦ ସିରିଜର ଡ୍ରୋନଗୁଡ଼ିକ ଇରାନ ସେନା ଦ୍ୱାରା ବିକଶିତ ହୋଇଥିଲା ଏବଂ ଏହା ଉଭୟ ନିରୀକ୍ଷଣ ଓ ଆକ୍ରମଣ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଆମେରିକା ଏବଂ ଏହାର ସହଯୋଗୀମାନେ ପୂର୍ବରୁ ଇରାନ ଡ୍ରୋନ ଉପରେ ଆପତ୍ତି ଉଠାଇଥିଲେ। ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ଘଟଣା ଆମେରିକା ଏବଂ ଇରାନ ମଧ୍ୟରେ ପୂର୍ବରୁ ଥିବା ତିକ୍ତ ସମ୍ପର୍କକୁ ଆହୁରି ଖରାପ କରିପାରେ।

ଆକ୍ରମଣ ପରର ଘଟଣା

ଆମେରିକୀୟ ଅଧିକାରୀ ଟିମ୍ ହକିନ୍ସ କହିଛନ୍ତି ଯେ, ଡ୍ରୋନ୍ କୁ ଖସାଇବା ପରେ ଇରାନର ଦୁଇଟି ବନ୍ଧୁକଧାରୀ ଜାହାଜ ଆମେରିକାର ଯୁଦ୍ଧ ଜାହାଜ ନିକଟକୁ ଆସିଥିଲା । ଏହି ସମୟରେ ଆଉ କିଛି ଇରାନର ଡ୍ରୋନ ମଧ୍ୟ ଆକାଶରେ ଉଡୁଥିଲା । ତେବେ ସେମାନେ ଅନ୍ତର୍ଜାତୀୟ ସୀମା ଉଲ୍ଲଙ୍ଘନ କରିଥିଲେ । ସେମାନଙ୍କୁ ରେଡିଓ ଜରିଆରେ ଫେରିଯିବାକୁ କୁହାଯାଇଥିଲା ।

ଇରାନର ପ୍ରତିକ୍ରିୟା

ଆକ୍ରମଣ ପରେ ଇରାନର ସରକାରୀ ଗଣମାଧ୍ୟମ କହିଛି ଯେ, ଇରାନ ଗୋଟିଏ ଡ୍ରୋନ୍ ଉପରୁ ନିୟନ୍ତ୍ରଣ ହରାଇଥିଲା । ତେଣୁ ଏହା ଆମେରିକାର ଯୁଦ୍ଧ ଜାହାଜ ନିକଟକୁ ଚାଲିଯାଇଥିଲା । ଏହାର ତଦନ୍ତ ଜାରି ରହିଛି । କେଉଁ ପରିସ୍ଥିତିରେ ଏହା ନିୟନ୍ତ୍ରଣ ହରାଇଲା ସେନେଇ ଅଧିକାରୀଙ୍କୁ ରିପୋର୍ଟ ମଧ୍ୟମଗାଯାଇଛି ।