ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 22, 2025 IST

ଭୁବନେଶ୍ବର: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ବର୍ବରୋଚିତ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ୨୪ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି। 

ସେପଟେ ଏହି ଘଟଣାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆତଙ୍କୀଙ୍କ ବର୍ବରକାଣ୍ଡକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ‘ଦକ୍ଷିଣ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ।’’ 




ଏହା ସହ ମୁଖ୍ୟମନ୍ତ୍ରୀ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାର ସୂଚନା ଅଛି। ତାଙ୍କ ମରଶରୀର ଓଡ଼ିଶା ଆଣିବାକୁ ବ୍ୟବସ୍ଥା ହେବ। ଏନେଇ ଦିଲ୍ଲୀ ଆବାସିକ କମିଶନରଙ୍କୁ ନର୍ଦ୍ଦେଶ ଦିଆଯାଇଛି। 

ସୂଚନାଥାଉକି, ମଙ୍ଗଳାବର ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଉପରକୁ ହୋଇଥିବା ଅତର୍କିତ ଆକ୍ରମଣରେ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି। ସେହିପରି ଆତଙ୍କବାଦୀଙ୍କ ବର୍ବରତାରେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀର ଗସ୍ତରେ ବାହାରି ସାରିଛନ୍ତି । ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଅନନ୍ତନାଗ ପୋଲିସ ହେଲ୍ପଲାଇନ୍‌ ନଂ ଜାରି କରିଛି । ହେଲ୍ପଲାଇନ୍‌ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।   

ଆତଙ୍କବାଦୀ ଆକ୍ରମଣ ତୁରନ୍ତ ପରେ ସୁରକ୍ଷାବଳ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଏଥିରେ ଜମ୍ମୁ-କାଶ୍ମୀପର ଭାରତୀୟ ସେନା, ସିଆପିଏଫ୍ ଓ ଜମ୍ମୁ-କାଶ୍ମୀର ପୋଲିସ ସାମିଲ୍ ହୋଇଛି । ପହଲଗାମ ଏବେ ଉତ୍ତେଜନ ପୂର୍ଣ୍ଣ ରହିଛି । ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷାବଳ ତନତନ କରି ପୂରା ଅଞ୍ଚଳରେ ଛାନଭୀନ୍ କରୁଛି । ଅତିରିକ୍ତ ସୁରକ୍ଷାବଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ପହଲଗାମ ଉଚ୍ଚ ସ୍ଥାନରେ ରହିଥିବାରୁ ଆହତଙ୍କୁ ଘୋଡ଼ା ସାହାଯ୍ୟରେ ତଳକୁ ଅଣାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.