ୱକଫ ଆଇନକୁ ନେଇ ଆସାମରେ ଉତ୍ତେଜନା, ସିଲଚରରେ ପୋଲିସ ଉପରକୁ ଟେକାପଥର ମାଡ଼

Published By : Prameya-News7 Bureau | April 13, 2025 IST

ସିଲଚର ୧୩।୪:  ୱକଫ ହିଂସା ପଶ୍ଚିମବଙ୍ଗରୁ ଆସାମକୁ ସ୍ଥାନାନ୍ତରିତ ହୋଇଛି। ୱକଫ ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କାଳରେ ହିଂସା ଦେଖାଯାଇଛି। ସଂସଦରେ ଗୃହୀତ ନୂଆ ଆଇନ ବିରୋଧରେ ରବିବାର ଆସାମର କଛାର ଜିଲ୍ଲାରେ  ହିଂସାତ୍ମକ ପ୍ରଦର୍ଶନ  କରାଯାଇଛି। ଏଥିରେ କିଛି ବିକ୍ଷୋଭକାରୀ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ସମାନ ପରିସ୍ଥିତି ସିଲଚରରେ ମଧ୍ୟ ଦେଖାଯାଇଛି। ଭିଡକୁ ଘଉଡାଇବା ପାଇଁ ପୋଲିସ ଲାଠିଚାର୍ଜ କରିଛି। 

ସିଲଚରର ଯେଉଁ ସବୁ ଅଞ୍ଚଳରେ ହିଂସା ଦେଖାଯାଇଛି ସେଥିରେ ଚାମରାଗୁଡମ, ବେରେଙ୍ଗା ଏବଂ ଓଲ୍ଡ ଲକ୍ଷୀପୁର ରୋଡ ଆଦି ଅଞ୍ଚଳ ରହିଛି। ୱକଫ ଆଇନକୁ ବିରୋଧ କରି ସକାଳେ ଶାନ୍ତିପୂର୍ଣ୍ଣ ରାଲି ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଉଥିଲେ। ତେବେ ପରେ ଶାନ୍ତିପୂର୍ଣ୍ଣ ରାଲିରେ କିଛି ଯୁବକ ସାମିଲ ହେବା ସହ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ଫଳରେ ବିକ୍ଷୋଭ ରଣକ୍ଷେତ୍ରରେ ପରିଣତ ହୋଇଥିଲା। 

କଛାରରେ ପୋଲିସ ମୁଖ୍ୟ ନୁମଲ ମହତ୍ତା କହିଛନ୍ତି ଯେ ଭିଡକୁ ଘଉଡାଇବା ପାଇଁ ପୋଲିସ ଉଚିତ ପଦକ୍ଷେପ ନେଇଛି। ସେ କହିଛନ୍ତି ଯେ ପ୍ରଥମେ ରାଲି ଶାନ୍ତିପୂର୍ଣ୍ଣ ଥିଲା ତେବେ ମଝିରେ କିଛି ଉପଦ୍ରବୀ ରାଲିରେ ପଶି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ତେବେ ପରିସ୍ଥିତିକୁ ଆମେ ଆୟତ୍ତ କରିନେଇଛୁ। ସିଲଚରରେ ଶାନ୍ତିପୂର୍ଣ୍ଣ ଚାଲିଥିବା ଆନ୍ଦୋଳନକୁ ହିଂସାତ୍ମକ କରାଯିବା ଯୋଗୁ ବିକ୍ଷୋଭକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କାଣ୍ଡକୁ ବିକ୍ଷୋଭକାରୀ ନିନ୍ଦା କରିଛନ୍ତି। 

ତେବେ ସଂଯୋଗର କଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ଦିନକ ପୂର୍ବରୁ ୱକଫ ସଂଶୋଧନ ଆଇନକୁ ନେଇ ଆସାମରେ କୌଣସି ଅପ୍ରିୟ ଘଟଣା ଘଟିନଥିବାରୁ ରାଜ୍ୟର ମୁସଲମାନ ସମୂଦାୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆସାମ ଶାନ୍ତିପୂର୍ଣ୍ଣ ରହିଛି। ଏଥିରେ ସେ ଆସାମ ପୋଲିସର ମଧ୍ୟ ପ୍ରଶଂସା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.