ନୂଆଦିଲ୍ଲୀ:ଘଟଣା ଘଟିବା ପୂର୍ବରୁ ଆମ ଭିତରେ ଥିବା ଭୟ ଆମକୁ ଆହୁରି ଦୁର୍ବଳ କରିଦିଏ। ଅସ୍ଥାୟୀ ଜୀବନ ଭିତରେ ଦୁର୍ଘଟଣା ତ କେତେବେଳେ ବି ଘଟିଯାଇପାରେ। ତେଣୁ ଏଥିପାଇଁ ଭୟ ନ କରି ବିପଦକୁ ସାମ୍ନା କଲେ ହୁଏତ ବିପଦ ଟଳିପାରେ। ଆପଣ ଭାବୁଥିବେ ବିଜ୍ନେଶରେ ହଠାତ୍ ଏ ଜୀବନ ଦର୍ଶନ କାହିଁକି ? ବେସ୍…ଆଜିର ଖବର ଏହି ପ୍ରସଙ୍ଗକୁ ନେଇକି।
ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଯଦିଓ ଦୁଇ ଦେଶ ସିଜ୍ଫାୟାର ରୋକିବାକୁ ସହମତି ହୋଇଛନ୍ତି ତେବେ ଉଭୟ ପଟୁ ଆକ୍ରମଣ ପ୍ରତିଆକ୍ରମଣରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଆଉ ଏହି ଭୟ କାରଣରୁ ବର୍ଡର ଏରିଆଗୁଡିକରେ ଶ୍ରମିକମାନେ କାମ ଅଧାରୁ ଛାଡ଼ି ଘରକୁ ବାହାରିଛନ୍ତି। ଫଳରେ କିଛି ସ୍ଥାନରେ ଶ୍ରମିକଙ୍କ ଅଭାବ ଦେଖା ଦେଇଛି। କେବଳ ସେତିକି ନୁହେଁ, ଲୋକେ ଭୟରେ ଆବଶ୍ୟକତା ଠାରୁ ଅଯଥା ସାମଗ୍ରୀ କିଣି ସ୍ଥିତି ଆହୁରି ଖରାପ କରି ଦେଉଛନ୍ତି। ପଢ଼ନ୍ତୁ ରିପୋର୍ଟ….
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ବର୍ତ୍ତମାନ ସ୍ଥିତି ଜଟିଳ ରହିଛି। ଯୁଦ୍ଧକୁ ନେଇ ଲୋକମାନେ ଭୟରେ ଦରକାରୀ ସାମଗ୍ରୀ ସବୁ ଆବଶ୍ୟକତା ଠାରୁ ଅଧିକ କିଣି ପକାଉଛନ୍ତି, ଯାହା ସ୍ଥିତିକୁ ଆହୁରି ଜଟିଳ କରିଦେଉଛି। ସବୁଠାରୁ ବଡ଼ କଥା ହେଲା ଯୁଦ୍ଧ ଭୟରେ ପ୍ରବାସୀ ଶ୍ରମିକମାନେ ସବୁ ଛାଡ଼ି ଅଧାରୁ ଛାଡ଼ି ନିଜ ନିଜର ଘରକୁ ଫେରିଯାଉଛନ୍ତି। ହଠାତ୍ ଶ୍ରମିକଙ୍କ ଏଭଳି ପଳାୟନ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶ୍ରମିକ ଅଭାବ ସୃଷ୍ଟି କରିଛି। ଫଳରେ ଶିଳ୍ପ ସଂସ୍ଥା ଓ ବ୍ୟବସାୟୀମାନେ ତୀବ୍ର ଶ୍ରମିକ ଅଭାବ ସହିତ ସଂଘର୍ଷ କରୁଛନ୍ତି।
ପଞ୍ଜାବର ପଟିଆଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ମଇଦା, ଚିନି, ଅଣ୍ଡା, ବିସ୍କୁଟ, ଖାଇବା ତେଲ ଏବଂ ଏବଂ ହଠାତ୍ ପ୍ରସ୍ତୁତ ହେଇପାରୁଥିବା ନୁଡୁଲ୍ସ ମଧ୍ୟ ଦୋକାନରୁ ଗାୟବ ହୋଇଗଲାଣି। ପଞ୍ଜାବ, ଜମ୍ମୁ ଏବଂ କାଶ୍ମୀର, ରାଜସ୍ଥାନ ଏବଂ ଗୁଜରାଟରେ ଏଭଳି ସ୍ଥିତି ଦେଖା ଦେଇଛି ବୋଲି ଇକୋନୋମିକ୍ସ ଟାଇମ୍ସର ଇ-ରିଟେଲ୍ସସ ଡଟ୍କମ୍ ୱେବ୍ସାଇଟ୍ରେ ଖବର ପ୍ରକାଶ ପାଇଛି। ଏଭଳି ଭୟଭୀତ କିଣାବିକା ଯୋଗୁ ଫଳରେ ଖୁଚୁରା ବ୍ୟବସାୟୀମାନେ ସାଧାରଣ ଲୋକଙ୍କ ଚାହିଦା ପୂରଣ କରିବାରେ ସଂଘର୍ଷ କରୁଛନ୍ତି। ଲୋକମାଟକୁ ପ୍ରତିକ୍ରିୟା ଦେଇ ସରବଜିତ ସିଂହ ନାମକ ଜଣେ ଦୋକାନୀ କହିଛନ୍ତି ଯେ ତାଙ୍କୁ ସପ୍ତାହ ହେଲେ ଅଟା ସପ୍ଲାଏ ମିଳି ନାହିଁ। ସିଂହ ଆହୁରି କହିଛନ୍ତି ଯେ ଖାଦ୍ୟ ପ୍ୟାକେଜିଂ, ପ୍ରକ୍ରିୟାକରଣ ଏବଂ ପରିବହନରେ ଜଡିତ ଅଧିକାଂଶ ଶ୍ରମିକ ଯୁଦ୍ଧ ଭୟରେ କାମ ଛାଡ଼ି ନିଜ ଘରକୁ ଚାଲିଯାଇଛନ୍ତି। ଏଥିପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡରେ ଭିଡ଼ ଦେଖିବାକୁ ମିଳୁଛି। ଲୁଧିଆନାର କପଡ଼ା ଏବଂ ପୋଷାକ ଶିଳ୍ପ ବର୍ତ୍ତମାନ ଶ୍ରମିକ ଅଭାବ ସମସ୍ୟାର ସଂଘର୍ଷ କରୁଛି। ୧୦-୧୫ ପ୍ରତିଶତ ଶ୍ରମ ବଳ ଅଭାବ ଦେଖା ଦେଲାଣି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।
ସେହିଭଳି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଉତ୍ତେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇଛନ୍ତି। ସେହିପରି ଡାବର କମ୍ପାନୀ ଜାମ୍ମୁରେ ଥିବା ଏହାର କାରଖାନାକୁ କେବଳ ଦିନ ବେଳା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି। ଅର୍ନଷ୍ଟ ଆଣ୍ଡ ୟଙ୍ଗ (EY) ଶୁକ୍ରବାର ଦିନ ଦିଲ୍ଲୀ-ଏନସିଆର, ଚଣ୍ଡିଗଡ଼, ଜୟପୁର ଏବଂ ଅହମ୍ମଦାବାଦ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କହିଛି।
ଯୁଦ୍ଧ ଭୟରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ କିଣି ନିଅଣ୍ଟ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଦେଶରେ ନା ଖାଦ୍ୟ ଷ୍ଟକ୍ର ଅଭାବ୍ ଅଛି ନା ଯୋଗାଣ ଶୃଙ୍ଖଳରେ କୌଣସି ଅସୁବିଧା ରହିଛି। ଏନେଇ ସରକାର ସ୍ପଷ୍ଟ କରିଦେଇଛନ୍ତି।
ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରଡକ୍ଟସ୍ ଡିଷ୍ଟ୍ରିବ୍ୟୁଟର୍ସ ଫେଡେରେସନ (AICPDF) କହିଛି ଡିଷ୍ଟ୍ରିବ୍ୟୁଟର ଖୁଚୁରା ବ୍ୟବସାୟୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି ଏବଂ ଉତ୍ପାଦ ଯୋଗାଣରେ କୌଣସି ବାଧା ନାହିଁ। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କେନ୍ଦ୍ର ସରକାର ମଧ୍ୟ ସମାନ ଆଶ୍ୱାସନା ଦେଇଛନ୍ତି।
ଏନେଇ ଶନିବାର ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତରେ ଖାଦ୍ୟ, ତେଲ କିମ୍ବା ଇନ୍ଧନର କୌଣସି ଅଭାବ ନାହିଁ। ତେଣୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରି ଷ୍ଟକ୍ ରଖିବାରୁ ଦୂରେଇ ରୁହନ୍ତୁ ବୋଲି ମନ୍ତ୍ରଣାଳୟ କହିଛି। ସେହିପରି ୯ ତାରିଖରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଦେଶାବାସୀଙ୍କୁ ଅଯଥା ଭୟଭୀତ ନହେବାକୁ କହିଥିଲେ। ଭାରତରେ ଖାଦ୍ୟ ଅଭାବର ସମସ୍ୟା ନାହିଁ, କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାର ପୂର୍ଣ୍ଣ କ୍ଷମତାରେ ଅଛି ବୋଲି ସେ କହିଥିଲେ।
କେବଳ ଖାଦ୍ୟ ସାମଗ୍ରୀ କାହିଁକିସ ଲୋକମାନେ ପେଟ୍ରୋଲ ଡିଜେଲ୍ ଷ୍ଟକ୍ ରଖିବା, ବ୍ୟାଙ୍କରୁ ଅଯଥା କ୍ୟାସ୍ କାଢ଼ିବା ଆଦି ଖବର ସାମ୍ନାକୁ ଆସିଛି। ଗୁଜବ ଖବର ପ୍ରଭାବ ବି ଲୋକଙ୍କୁ ଅଧିକ ଡରାଇ ଦେଇଛି। ପରିଣାମ ସ୍ୱରୂପ ଏଭଳି ପରିସ୍ଥିତି ଉପୁଜିଛି। ସେପଟେ ଏଭଳି ଭୟଭୀତ କିଣାବିକା ଦେଖି ବିଭିନ୍ନ ତେଲ କମ୍ପାନୀମାନେ ଲୋକଙ୍କୁ ସଜାଗ କରାଇଛନ୍ତି।
ଇଣ୍ଡିଆନ୍ କହିଛି ସାରା ଦେଶରେ ଏହାର ପର୍ଯ୍ୟାପ୍ତ ଇନ୍ଧନ ଗଚ୍ଛିତ ଅଛି ଏବଂ ଯୋଗାଣ ଲାଇନ୍ ସୁରୁଖୁରୁରେ କାମ କରୁଛି। ତେଣୁ ଇନ୍ଧନର ଅନାବଶ୍ୟକ କିଣାକିଣି ନ କରି ଶାନ୍ତ ରହିବାକୁ କମ୍ପାନୀକୁ ଲୋକଙ୍କୁ ନିବେଦନ କରିଛି। ଫଳରେ ଦ୍ଵାରା ବିନା କୌଣସି ବାଧାରେ ସମସ୍ତଙ୍କୁ ଇନ୍ଧନ ଉପଲବ୍ଧ ହୋଇପାରିବ। HPCL ଏବଂ BPCL ମଧ୍ୟ ସମାନ ବାର୍ତ୍ତା ଜାରି କରିଛି।
ସେହିପରି ଦେଶର ସମସ୍ତ ବ୍ୟାଙ୍କ ମଧ୍ୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। କ୍ୟାସ୍ର କୌଣସି ସମସ୍ୟା ହେବ ନାହିଁ। ସବୁ ଏଟିଏମ୍ ଖୋଲା ରହିଛି ବୋଲି ଦେଶର ବଡ଼ ବଡ଼ ବ୍ୟାଙ୍କ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲୋକଙ୍କୁ ସଜାଗ କରିଥିଲେ।
ପାକିସ୍ତାନ ଓ ଭାରତ ମଧ୍ୟରେ ଅସ୍ତ୍ର ବିରତୀ ପାଇଁ ସହମତି ହୋଇଛି। ପାକିସ୍ତାନ ଭାରତକୁ କଲ୍ କରି ସିଜ୍ଫାୟାର ପାଇଁ ଅନୁରୋଧ କରିବା ପରେ ଭାରତ ଏଥିରେ ରାଜି ହୋଇଛି। ହେଲେ ଲୋକଙ୍କ ଭୟ ଯୋଗୁ ବର୍ଡର ଏରିଆଗୁଡ଼ିକରେ ସ୍ୱଳ୍ପ ପାଇଁ ହେଉ ପଛେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଲା। ତେଣୁ ଭୟ ନୁହେଁ ସତର୍କତା ବେଶି ଆବଶ୍ୟକ।