ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ

NEWS7
tension-in-bhubaneswar-padmakesharpur-village

କଟକ ୧୦।୨: ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ । ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ ୧୬୭ ସବ୍ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ PUCC ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଅବଶ୍ୟ ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ, ସେହି ମୁତାବକ PUCC ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ୍ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଛି । ଯାହା ସମ୍ପର୍କରେ ମଙ୍ଗଳବାର ଆଡଭୋକେଟ୍ ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହିତ ଦାୟର ଜନସ୍ୱାର୍ଥ ମାମଲା ଉପରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡି ମାଲିକଙ୍କ PUCC ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମମାଲାରେ ଉଲ୍ଲେଖ କରାଯାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ । ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ ।