ଭୁବନେଶ୍ୱର ୦୫।୦୬ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯେଉଁଠି ଥିଲା ସେଇଠି ଅଟକିଛି । ଆଗକୁ ବଢ଼ିବାର ନାଁ ନେଉନି । ଏହା ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଛୁଇଁଛି । ଆସନ୍ତା ୫ଦିନ ଯାଏ ମୌସୁମୀ ଆଗେଇବନି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ହେବ। ୭ ତାରିଖରେ କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ସେଲସିୟସ୍ ଟପିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ସେହିପରି ୫ ତାରିଖରୁ ତାପମାତ୍ରା ବଢ଼ିଯିବ । ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିପାରେ । ୭ରୁ ୧୦ ତାରିଖ ଭିତରେ ତାତି ୪ ଡିଗ୍ରୀ ବଢ଼ିବ । ୧୦ରୁ ୧୨ ତାରିଖ ଭିତରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ବଢ଼ିପାରେ । ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ ଓ ଅନୁଗୁଳ ଉତ୍ତପ୍ତ ଅଞ୍ଚଳ ପାଲଟିବ । ଆଭ୍ୟନ୍ତରୀଣ କଟକ, ଖୋର୍ଦ୍ଧା, ପୁରୀର କିଛି ଅଞ୍ଚଳ, ନୟାଗଡ଼ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ଗରମ ଓ ଗୁଳୁଗୁଳି ଅସମ୍ଭାଳ କରିବ । ଗୁରୁବାରଠାରୁ ପୂରା ରାଜ୍ୟରେ ତତଲା ପବନ ବହିପାରେ । ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ବଙ୍ଗୋପସାଗରୀୟ ପବନ ବହିବା ଯୋଗୁ ତାପମାତ୍ରା ବିଶେଷ ବଢ଼ିବନି ବୋଲି ଡ. ପଶୁପାଳକ କହିଛନ୍ତି ।
ଜୁନ୍ ମାସରେ ମୌସୁମୀ ଅଗ୍ରଗତି ବିଳମ୍ବ ହେଲେ ଗ୍ରୀଷ୍ମପ୍ରବାହ ବହିଥାଏ । ୨୦୨୩ ମସିହା ଜୁନ୍ ୧୨ ତାରିଖରେ ରାଜ୍ୟର ୧୬ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଥିଲା । ସମ୍ବଲପୁରରେ ତାତି ୪୫.୬ ଡିଗ୍ରୀ ଛୁଇଁଥିଲା । ଭୁବନେଶ୍ୱରରେ ତାପମାତ୍ରା ୪୪.୩ ଡିଗ୍ରୀ ଥିଲା । ସେବେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ ଅଧିକ ରହିଥିଲା । ୨୦୧୬ ଜୁନ୍ ୧୩ରେ ବଲାଙ୍ଗୀର ଓ ସମ୍ବଲପୁରରେ ତାତି ୪୨ ଡିଗ୍ରୀ ଛୁଇଁଥିଲା । କିଛି ମଡେଲ ଆକଳନ ଅନୁସାରେ, ଜୁନ୍ ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ପୂର୍ବା ପବନ ବହିବ। ଉପକୂଳରେ ୧୧ ତାରିଖରୁ ତାପମାତ୍ରା କମିବ । ଆଭ୍ୟନ୍ତରରେ ୧୩ରୁ କମିବ। ଅନେକ ସ୍ଥାନରେ ବର୍ଷା ହୋଇପାରେ। ୧୭ ତାରିଖ ବେଳକୁ ଲଘୁଚାପ ସୃଷ୍ଟିର ମଧ୍ୟ ସମ୍ଭାବନା ଅଛି । ଜୁନ୍ ୧୫ ପରେ ବର୍ଷାକୁ ଦେଖି ଖରିଫ୍ ଫସଲ ଲଗାଇବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।
୫ରେ(ଗୁରୁବାର) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ହୋଇପାରେ । ବାଲେଶ୍ୱର ଓ ପୁରୀରେ ଗ୍ରୀଷ୍ମପ୍ରବାହ ବହିବାର ଆଶଙ୍କା ଅଛି। ବୁଧବାର କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବୁଧବାର ଅପରାହ୍ନ ଓ ସନ୍ଧ୍ୟାରେ ରାଜ୍ୟର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ଡରାଇଛି। ବଜ୍ରପାତ ସହିତ ପ୍ରବଳ ବର୍ଷିଛି। ଭୁବନେଶ୍ୱରରେ ୪୩.୮ ମିମି ବର୍ଷା ହୋଇଛି ।