ଭୁବନେଶ୍ୱର ୦୪।୦୫ : ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ । ୫ ଓ ୬ ତାରିଖରେ ବି ଅସମ୍ଭାଳ ତାତିରୁ ନିସ୍ତାର ମିଳିବନି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ସେହିପରି ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର ଓ ପୁରୀରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ଗୁରୁବାର ଓ ଶୁକ୍ରବାର ମଧ୍ୟ ଗ୍ରୀଷ୍ମପ୍ରବାହ ବହିପାରେ । ଏହି ତିନି ଦିନ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମଙ୍ଗଳବାର ଦିନରେ ତତାଇବା ପରେ ଅପରାହ୍ନରେ ରାଜଧାନୀରେ ନିର୍ଧୁମ ବର୍ଷା ହୋଇଛି। ମାତ୍ର ଘଣ୍ଟାଏ ଭିତରେ ପ୍ରାୟ ୬୦ମିମି ବର୍ଷା ହୋଇଥିଲା। ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଥିଲା । ସହରର ଗଳିକନ୍ଦି ଓ ପ୍ରମୁଖ ରାସ୍ତାରେ ପାଣିର ସୁଅ ଚାଲିଥିଲା । ଏକାଧିକ ସହରରେ ତାତି ୪୦ ଡିଗ୍ରୀ ପାଖାପାଖି ରହିଥିଲା। ତାଳଚେରରେ ୩୯.୬, ବାଲେଶ୍ୱର ଓ ସମ୍ବଲପୁରରେ ୩୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୪, ଖୋର୍ଦ୍ଧାରେ ୩୯, ବୌଦ୍ଧରେ ୩୮.୮, ବଲାଙ୍ଗିରରେ ୩୮, ନୟାଗଡ଼ରେ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି ।