ରାଜ୍ୟରେ ବଢ଼ିଲା ଗ୍ରୀଷ୍ମ ପ୍ରବାହ, ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା

Published By : Prameya-News7 Bureau | May 29, 2024 IST

ଭୁବନେଶ୍ବର ୨୯।୫: ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ଜଳିଲାଣି ସାରା ଓଡିଶା । ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । କେବଳ ତାପମାତ୍ରା ନୁହେଁ, ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଏତେ ବଢ଼ିଯାଇଛି ଯେ, ଭୀଷଣ ଗୁଳୁଗୁଳି ଅଣନିଃଶ୍ୱାସୀ କରି ପକାଉଛି । ଗୁଳୁଗୁଳି ଏତେ ଯେ ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍ ।

ବୁଧବାର ଦିନ ୧୧ଟା ୩୦ ମିନିଟ୍‌ ସୁଦ୍ଧା ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୦.୮, କେନ୍ଦୁଝରରେ ୪୦.୫, ଭୁବନେଶ୍ୱରରେ ୩୮.୮, ଚାନ୍ଦବାଲିରେ ୩୫.୬, ବାଲେଶ୍ୱର ୩୫.୫, ପୁରୀ ୩୪.୪, ପାରାଦୀପରେ ୩୪.୨, ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ପାଣିପାଗ ବିଭାଗର ଆକଳନ ହେଲା, ଆସନ୍ତା ୨ ଦିନ ଭିତରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ ଅନେକ ସ୍ଥାନରେ । ଅନୁମାନ କରାଯାଉଛି, ୩୧ ତାରିଖ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ଲହରି ଜଳାଇବ । ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଜାରି ରହିବ ଗ୍ରୀଷ୍ମ ଲହରି । ଉପକୂଳର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ଆସନ୍ତା ଦୁଇଦିନ । ଏଥିପାଇଁ ଉପରୋକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ । ୩୧ ଓ ୧ ଜୁନ୍‌ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ପ୍ରଭାବରେ ୪୦-୫୦ କିମି ବେଗରେ ପବନ ସହ ଧୂଳିଝଡ଼ ଓ ବର୍ଷା ହୋଇପାରେ । କାଳବୈଶାଖୀ ହେଲେ ହିଁ ତାତି ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ । 

You Can Read :

ସକାଳୁ ସକାଳୁ ଜଳିଲାଣି ଓଡିଶା, ସକାଳ ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଛୁଇଁଲାଣି ତାପମାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.