୧୨ ଦେଶରେ ମୋର ୧୦୦ରୁ ଅଧିକ ସନ୍ତାନ; ଅବିବାହିତ ଟେଲିଗ୍ରାମ ପ୍ରତିଷ୍ଠାତା କଲେ ବଡ଼ ଖୁଲାସା

Published By : Prameya-News7 Bureau | July 30, 2024 IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଏବଂ ସିଇଓ ପାଭେଲ ଖୁଲାସା କରିଛନ୍ତି ଯେ ୧୨ ଦେଶରେ ତାଙ୍କର ୧୦୦ରୁ ଅଧିକ ସନ୍ତାନ ଅଛନ୍ତି । ସେ ଏହା ପଛର କାହାଣୀ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୫ ବର୍ଷ ଧରି ସେ ସ୍ପର୍ମ (ଶୁକ୍ରାଣୁ) ଦାନ କରି ଆସୁଛନ୍ତି । ତେବେ ଏହାର ଆରମ୍ଭ ସହଜ ନଥିଲା, ପ୍ରଥମେ ଏହାକୁ ସେ ଏକ ପାଗଳାମୀ ବୋଲି ଭାବୁଥିଲେ, କିନ୍ତୁ ପରେ ଗୋଟିଏ ଘଟଣା ପୂରା ଚିନ୍ତାଧାରା ବଦଳାଇ ଦେଇଥିଲା । ସେ ଏହି କାମକୁ ସମାଜ ପ୍ରତି ନିଜ କର୍ତ୍ତବ୍ୟ ବୋଲି ମଧ୍ୟ କହିଛନ୍ତି ।

ପାଭେଲ୍ ଡ୍ଡରୋଭ ଟେଲିଗ୍ରାମର ପ୍ରତିଷ୍ଠାତା । ଫୋର୍ବ୍ସ ଅନୁସାରେ ୨୦୨୪ରେ ତାଙ୍କର ଆନୁମାନିକ ସମ୍ପତ୍ତି ୧୫୫୦ କୋଟି ୟୁଏସ୍ ଡଲାର ଥିଲା । ବିଲେନିୟର ବ୍ୟବସାୟୀ ପାଭେଲ ନିକଟରେ ଖୁଲାସା କରିଛନ୍ତି ଯେ ୧୨ ଦେଶରେ ସେ ୧୦୦ ଅଧିକ ପିଲାର ଜନକ ଅଟନ୍ତି । ସେ ଦାବି କରିଛନ୍ତି ଯେ ଏହି ସବୁ ପିଲା ତାଙ୍କ ଦ୍ୱାରା ଦାନ କରାଯାଇଥିବା ଶୁକ୍ରାଣୁରୁ ଜନ୍ମିତ । ସେ ଖୁଲାସା କରି କହିଛନ୍ତି ଯେ ଏହି ସବୁ ୧୫ ବର୍ଷ ପୂର୍ବେ ଆରମ୍ଭ କରିଥିଲେ, ଯେତେବେଳେ ତାଙ୍କର ଜଣେ ବନ୍ଧୁ ଏକ ଅଜବ ଅନୁରୋଧ କରିଥିଲେ । ପାଭେଲଙ୍କ ଅନୁସାରେ ତାଙ୍କ ସାଙ୍ଗଙ୍କ ସନ୍ତାନ ଜନ୍ମ ହେଉ ନଥିଲା । ତେଣୁ ଉଭୟ ସ୍ୱାମୀ-ସ୍ତ୍ରୀ ତାଙ୍କ ପାଖକୁ ଆସି ସାହାଯ୍ୟ ପାଇଁ ନିବେଦନ କରିଥିଲେ । 

ପାଭେଲ କହିଛନ୍ତି ଯେ ବହୁ ନିବେଦନ ପରେ ସେ କ୍ଲିନିକକୁ ଯାଇ ଶୁକ୍ରାଣୁ ଦାନ କରିବା ପାଇଁ ରାଜି ହୋଇଥିଲେ । ଏହାପରେ ତାଙ୍କ ସାଙ୍ଗ ଏକ ସୁସ୍ଥ ପିଲାର ବାପା-ମାଆ ହୋଇଥିଲେ । ଏହାପରଠୁ ତାଙ୍କର ସ୍ପର୍ମ ଦାନ କରିବା ଅଭିଯାନ ଆରମ୍ଭ ହୋଇଥିଲା । ସେ ଏକ ଟେଲିଗ୍ରାମ ଚ୍ୟାନେଲକୁ କହିଛନ୍ତି, 'ମୁଁ ଏବେ ଏବେ ଜାଣିବାକୁ ପାଇଲି ଯେ ମୋର ୧୦୦ରୁ ଅଧିକ ପିଲା ଅଛନ୍ତି । ଏହା ସେହି ବ୍ୟକ୍ତିର ମାମଲାରେ ହୋଇଛି ଯିଏ କେବେ ବିବାହ କରି ନାହିଁ ଏବଂ ସବୁବେଳେ ଏକା ରହିବାକୁ ପସନ୍ଦ କରେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.