ବେଙ୍ଗାଲୁରୁ ଦକ୍ଷିଣରୁ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ମାମଲା ରୁଜୁ, ଧର୍ମ ନାଁରେ ଭୋଟ ମାଗିଥିବା ଅଭିଯୋଗ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ୨୮ରୁ ୧୪ ଲୋକସଭା ଆସନରେ ଗୁରୁବାର ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଛି । ଏହାରି ଭିତରେ ବେଙ୍ଗାଲୁରୁ ଦକ୍ଷିଣରୁ ବିଜେପି ପ୍ରାର୍ଥୀ ଏବଂ ବର୍ତ୍ତମାନର ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଧର୍ମ ନାଁରେ ଭୋଟ ମାଗିବା ଅଭିଯୋଗ ରହିଛି । ଏପ୍ରିଲ ୨୫ରେ ଜୟାନଗର ଥାନାରେ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂର୍ଯ୍ୟା ସକାଳେ ଭୋଟ ଦେବା ପରେ ଏକ ଭିଡିଓ ପୋଷ୍ଟ କରିଥିଲେ ।

କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ପୋଷ୍ଟରେ ଲେଖାଯାଇଛି, 'ସାଂସଦ ଏବଂ ବେଙ୍ଗାଲୁରୁ ସାଉଥରୁ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରେଧରେ ୨୦୨୪ ଏପ୍ରିଲ୍ ୨୫ରେ ଜୟାନଗର ଥାନାରେ ଧାରା ୧୨୩ (୩) ଅଧିନରେ କେସ ରୁଜୁ କରାଯାଇଛି । ଅଭିଯୋଗ ରହିଛି ଯେ ସେ ସୋସିଆଲ୍ ମିଡିଆରେ ଅଭିଓ ସେୟାର କରିଥିଲେ ଏବଂ ଧର୍ମ ନାଁରେ ଜନତାଙ୍କଠାରୁ ଭୋଟ୍ ଅପିଲ୍ କରିଥିଲେ ।'

ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁ ଦକ୍ଷିଣ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିଜେପି ଗଡ଼ ହୋଇ ରହି ଆସିଛି । ୧୯୭୭ ପରେ ବିଜେପି କେବଳ ଥରେ ଏହି ଆସନ ହାରିଛି । ୧୯୮୯ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଗନ୍ତ ଆର ଗୁଣ୍ଡୁ ରାଓ କଂଗ୍ରେସ ପାଇଁ ଏହି ଆସନ ଜିତିଥିଲେ । ଏଥର ବିଜେପିର ତେଜସ୍ୱୀ ସୂର୍ଯ୍ୟାଙ୍କ ମୁକାବିଲା କଂଗ୍ରେସର ସୌମ୍ୟା ରେଡ୍ଡିଙ୍କ ସହ ହେଉଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.