ଚିରାଗଙ୍କୁ ବିବାହ ପରାମର୍ଶ ଦେଲେ ତେଜସ୍ୱୀ, ରାହୁଲ କହିଲେ, ଏହା ମୋ ପାଇଁ ଲାଗୁ: ସମସ୍ତେ ହସିଲେ

Published By : Prameya-News7 Bureau | August 24, 2025 IST

indiatoday

ଅରରିଆ: ବିହାରରେ ନିର୍ବାଚନକୁ ଆଖି ଆଗରେ ରଖି ଇଣ୍ଡିଆ ମେଣ୍ଟରେ ଜୋରସୋରରେ ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ଭିତରେ ନେତାମାନେ କେତେବେଳେ ବୁଲେଟ ଚଳାଇ ଲୋକଙ୍କୁ ଭେଟୁଛନ୍ତି ତ ଆଉ କେତେବେଳେ ହାତ ହଲାଇ ଅଭିବାଦନ ଜଣାଉଛନ୍ତି।

ରବିବାର ବିହାରର ଅରରିଆରେ ଇଣ୍ଡିଆ ମେଣ୍ଟର ସାମ୍ବାଦିକ ସମ୍ମିଳନୀ ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମଜାଦାର ଆଲୋଚନା ଦେଖିବାକୁ ମିଳିଥିଲା। ତେଜସ୍ୱୀ ଯାଦବ ଏଲ୍‌ଜେପି(ରାମ ବିଳାସ) ନେତା ଚିରାଗ ପାସୱାନଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ରାହୁଲ କଥାକୁ ନିଜ ଆଡକୁ ଟାଣି ନେଇ କହିଥିଲେ ଏହି ପରାମର୍ଶ ମୋ ଉପରେ ବି ଲାଗୁ ହେଉଛି।  ଏହା ପରେ କିଛି ସମୟ ପାଇଁ ସମସ୍ତଙ୍କ ମୁହଁରେ ଖୁସିର ଲହରି ଖେଳିଯାଇଥିଲା।

ତେଜସ୍ୱୀ କହିଥିଲେ “ ଚିରାଗ ପାସୱାନଙ୍କୁ ପରାମର୍ଶ ଦେବି କି ସେ ଏବେ ବାହା ହେଇ ଯାଆନ୍ତୁ।, ସେ ମୋ ବଡ଼ ଭାଇ।” ଏହା ଉପରେ ରାହୁଲ ଗାନ୍ଧି ତୁରନ୍ତ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ “ଇଏ ତ ମୋ ଉପରେ ବି ଅପ୍ଲିକେବଲ ହେଉଛି।” ତେଜସ୍ୱୀ ବି ରାହୁଲଙ୍କୁ ମଜାଦାର ଉତ୍ତର ଦେଇଥିଲେ।  ସେ କହିଥିଲେ “ବାପା(ଲାଲୁ ପ୍ରସାଦ ଯାଦବ) ତ କେବେଠାରୁ ଆପଣଙ୍କୁ କହୁଛନ୍ତି।” ଏହାପରେ ମାହୋଲ ଟିକେ ହସଖୁସିଆ ହୋଇଯାଇଥିଲା। 

ଏହାପରେ ବିହାର ବିଧାନସଭା ନିର୍ବାଚନକୁ ନେଇ ରାହୁଲ କହିଥିଲେ ବିହାରରେ ଇଣ୍ଡିଆ ମେଣ୍ଟ ଏକାଠି ଅଛନ୍ତି। ଖୁବ୍‌ଶୀଘ୍ର ଆମେ ଆମର ନିର୍ବାଚନ ଇସ୍ତାହାର ଜାରି କରିବୁ। ଶାସକ ଏନ୍‌ଡିଏକୁ ଟାର୍ଗେଟ୍ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ବିଜେପିକୁ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି।  “ଆମେ ବିହାରରେ ନିର୍ବାଚନ କମିଶନଙ୍କୁ ଭୋଟ ଚୋରି କରିବାକୁ ଦେବୁ ନାହିଁ। ନିର୍ବାଚନ ପ୍ୟାନେଲ ବିଜେପିର ଲାଭ ପାଇଁ କାମ କରୁଛି। ଏସଆଇଆର ହେଉଛି ନିର୍ବାଚନ କମିଶନଙ୍କ ଦ୍ୱାରା ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ ଚୋରି କରିବା ପାଇଁ ଏକ ସାଂସ୍ଥାଗତ, ପ୍ରୟାସ ଯାହା ଦ୍ୱାରା ବିଜେପିକୁ ସାହାଯ୍ୟ କରାଯାଇପାରିବ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.