ପ୍ରେମ ସଂପର୍କ ବିବାଦ ମଧ୍ୟରେ ଅନୁଷ୍କା ଯାଦବଙ୍କ ଘରେ ପହଞ୍ଚିଲେ ତେଜ ପ୍ରତାପ , କହିଲେ –କିଏ ମୋତେ ରୋକିବ

Published By : Prameya-News7 Bureau | June 30, 2025 IST

ପାଟନା : ସୋସିଆଲ ମିଡ଼ିଆରେ ଅନୁଷ୍କା ଯାଦବଙ୍କ ସହ ଫଟୋକୁ ନେଇ ବିବାଦରେ ଥିବା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ, ସୋମବାର ଅନୁଷ୍କାଙ୍କ ଘରକୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଆମର ପାରିବାରିକ ସଂପର୍କ ଅଛି, ଏଥିପାଇଁ ଭେଟିବାକୁ ଆସିଛୁ, କେହି ମୋତେ ଅଟକାଇ ପାରିବେ ନାହିଁ। ଏହି ଘଟଣାକୁ ନେଇ ତେଜ ପ୍ରତାପଙ୍କୁ ଲାଲୁ ଯାଦବ ପାର୍ଟି ଓ ପରିବାରରୁ ବହିଷ୍କାର କରି ଦେଇଛନ୍ତି। ଏହା ପୂର୍ବରୁ ତେଜ ପ୍ରତାପ ଅଭିଯୋଗ ଲଗାଇ ଥିଲେ ଯେ, ତାଙ୍କର ଫେସବୁକ୍‌କୁ ହ୍ୟାକ୍‌ କରାଯିବା ସହ ଫଟୋକୁ ବିକୃତ କରାଯାଇ ଥିଲା ଏବଂ ଏକ ଷଡ଼ଯନ୍ତ୍ରର ପାର୍ଟ ଭାବେ ତାଙ୍କର ଓ ଅନୁଷ୍କାଙ୍କ ଫଟୋ ପୋଷ୍ଟ କରାଯାଇ ଥିଲା। ପ୍ରକାଶିତ ହେବା ପରେ ଡିଲିଟ୍‌ ହୋଇଥିବା ପୋଷ୍ଟରେ ଦାବି କରାଯାଇ ଥିଲା ଯେ, ତେଜ ପ୍ରତାପ ୧୨ବର୍ଷରୁ ଅନୁଷ୍କାଙ୍କ ସହ ରିଲେସନସିପ୍‌ରେ ଅଛନ୍ତି।

ଅନୁଷ୍କାଙ୍କ ସହ ଭାଇରାଲ ଫଟୋ ଓ ଭିଡ଼ିଓରେ ନିରବତା ଭାଙ୍ଗି ତେଜ ପ୍ରତାପ ଯାଦବ କହିଥିଲେ ଯେ, ପ୍ରେମ ସମସ୍ତେ କରନ୍ତି। ପ୍ରେମ କଲି ତ କଣ ହେଲା , ଏଥିରେ କୌଣସି ଭୁଲ ନାହିଁ। ପାର୍ଟି ଓ ପରିବାର ଠାରୁ ବାହାର କରାଯିବା ନେଇ କହିଥିଲେ - କେହି ମୋତେ ଲୋକଙ୍କ ହୃଦୟରୁ ବାହାର କରି ପାରିବନାହିଁ। ଭାଇରାଲ ପୋଷ୍ଟରେ ସେ କହିଛନ୍ତି ଯେ, ମୋର ହିଁ ପୋଷ୍ଟ ଥିଲା ଏବଂ ମୁଁ ହିଁ ପୋଷ୍ଟ କରିଥିଲି।

ଆରଜେଡିରୁ ୬ବର୍ଷରୁ ନିଷ୍କାସନର ପ୍ରଶ୍ନରେ ତେଜ ପ୍ରତାପ କହିଥିଲେ ଯେ, ଯେଉଁ ଲୋକେ ଏହି ଭ୍ରମରେ ଅଛନ୍ତି, ଯିଏକି ଆମକୁ ସଙ୍ଗଠନରୁ ବାହାର କରିଛନ୍ତି, ସର୍ବ ପ୍ରଥମେ ମୁଁ ମୋର ବାପାଙ୍କୁ ସର୍ବୋଚ୍ଚ ମାନିଥାଏ। ତେଣୁ ମୁଁ ଏକ ଲମ୍ୱା ରେଖା ଟାଣିବାକୁ ଚାହୁଁଛି ଏବଂ ମୁଁ ଏଥିରେ ଆଗକୁ ବଢିଛି। ଏବେ ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି। ଏହି କାରଣରୁ ହସନପୁରର ଲୋକେ ମୋତେ ବାଛିଛନ୍ତି। ଏଥର ମୁଁ ନିର୍ବାଚନ ଲଢିବି। ଏହି ସବୁ କଥା ତେଜ ପ୍ରତାପ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.