ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ଶୁଭମନ ଗିଲ୍ଙ୍କୁ ଦଳର ଅଧିନାୟକ ଓ ଋଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁନ ୨୦ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ତେବେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କିଭଳି ରହିବ ତାହା ଉପରେ ଏବେ ସଭିଙ୍କ ନଜର।
ବିସିସିଆଇ ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ପ୍ରଥମ ଟେଷ୍ଟରେ ସାଇ ସୁଦର୍ଶନ ଓ ଯଶସ୍ଵୀ ଜୟସ୍ଵାଲ ଇନିଂସ ଓପନ କରି ପାରନ୍ତି। ଏହା ପରେ ଅଧିନାୟକ ଶୁଭମନ ଗିଲ୍ ତିନି ନମ୍ବରରେ ଖେଳି ପାରନ୍ତି। ନମ୍ବର ୪ରେ ବିରାଟ କୋହଲିଙ୍କ ସ୍ଥାନରେ କେଏଲ ରାହୁଲଙ୍କ ଖେଳିବାର ଆଶା ରହିଛି। ଏହା ପରେ ୫ ନମ୍ବରରେ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଦେଖିବାକୁ ମିଳିପାରେ। ଆଇପିଏଲ୍ରେ ଶୋଚନୀୟ ପ୍ରଦର୍ଶନ କରିଥିଲେ ହେଁ, ପନ୍ତଙ୍କଠୁ ଇଂଲଣ୍ଡ ଗସ୍ତରେ ଭଲ ପ୍ରଦର୍ଶନର ଆଶା କରିଛି ଦଳ।
Also read: ODI ରୁ ଅଧିନାୟକତ୍ୱ ହରାଇବେ କି ରୋହିତ ଶର୍ମା ? ଇସାରା ଦେଲେ ଗମ୍ଭୀର
ନୀତିଶ କୁମାର ରେଡ୍ଡୀ ନମ୍ବର ୬ରେ ଖେଳି ପାରନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଏହି ଅଲରାଉଣ୍ଡର ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ଏହି ନମ୍ବରରେ ପୁଣି ଥରେ ସୁଯୋଗ ମିଳିପାରେ। ସାତ ନମ୍ବରରେ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ଖେଳିବାର ସମ୍ଭାବନା ରହିଛି। ଆଠ ନମ୍ବରରେ ଶାର୍ଦ୍ଦୁଳ ଠାକୁର, ପୁଣି ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ଆକ୍ସନରେ ଦେଖିବାକୁ ମିଳିପାରେ। ଅର୍ଶଦୀପ ସିଂଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବତ ଏକାଦଶ
ଶୁଭମନ ଗିଲ୍(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ସାଇ ସୁଦର୍ଶନ, କେଏଲ ରାହୁଲ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କୃଷ୍ଣା।