ରାଷ୍ଟ୍ରପତି ଭବନରେ ‘ରାଜାଜୀ ଉତ୍ସବ’; ରାଜାଜୀଙ୍କ ଜୀବନ ଭାରତର ବୌଦ୍ଧିକ ପରମ୍ପରା ଏବଂ ସଭ୍ୟତାଗତ ଚେତନାର ଅନନ୍ୟ ପ୍ରତୀକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

NEWS7
team-india-world-cup-2023-most-runs-wickets-indian-players-virat-kohli-rohit-sharma-moham

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ଭବନ ପରିସରରେ ସୋମବାର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମାନ୍ୟବର ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ‘ରାଜାଜୀ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭବନ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ଏବଂ ଏକମାତ୍ର ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (ରାଜାଜୀ)ଙ୍କ ପ୍ରତିମା ଉନ୍ମୋଚିତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜାଜୀଙ୍କ ଜୀବନ ଭାରତର ବୌଦ୍ଧିକ ପରମ୍ପରା ଏବଂ ସଭ୍ୟତାଗତ ଚେତନାର ଏକ ଅନନ୍ୟ ପ୍ରତୀକ ।ରାଷ୍ଟ୍ରପତି ଭବନରେ ତାଙ୍କ ପ୍ରତିମା ସ୍ଥାପନ ହେବା ଭାରତୀୟ ବୌଦ୍ଧିକ ତଥା ସାଂସ୍କୃତିକ ଐତିହ୍ୟକୁ ପୁନଃପ୍ରତିଷ୍ଠିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜାଜୀ ମାତୃଭାଷାରେ ଶିକ୍ଷା ପ୍ରଦାନ ଏବଂ ମୂଲ୍ୟବୋଧଭିତ୍ତିକ ଶାସନ ଉପରେ ଯେଉଁ ଗୁରୁତ୍ୱ ଦେଇଥିଲେ, ତାହା ଆଜିର 'ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦' ସମେତ ଅନେକ ନୀତିଗତ ସଂସ୍କାରରେ ପ୍ରତିଫଳିତ ହେଉଛି ।

ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ପାଇଁ ସଂକଳ୍ପ ନେଇଛି। ସଂସଦରେ ‘ସେଙ୍ଗୋଲ’ର ପ୍ରତିଷ୍ଠା ଏବଂ ଭାରତୀୟ ପ୍ରତୀକଗୁଡ଼ିକର ପୁନଃସ୍ଥାପନ ରାଜାଜୀଙ୍କ ଦୂରଦୃଷ୍ଟିକୁ ସାଂପ୍ରତିକ ଭାରତରେ ସଶକ୍ତ ଭାବେ ଆଗକୁ ବଢ଼ାଉଛି ।ଆଜିର ଏହି ବିଶେଷ ଅବସର ଆଗାମୀ ପିଢ଼ି ପାଇଁ ଦେଶପ୍ରେମ ଏବଂ ଭାରତୀୟ ସଂସ୍କୃତିର ଗୌରବକୁ ବଜାୟ ରଖିବା ପାଇଁ ଏକ ଅନନ୍ତ ପ୍ରେରଣାର ଉତ୍ସ ହୋଇ ରହିବ ।

​​​​​​​

ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଏବଂ ରାଜାଜୀଙ୍କ ପରିବାରବର୍ଗଙ୍କ ଉପସ୍ଥିତି ଏହି ଆୟୋଜନକୁ ଏକ ସ୍ୱତନ୍ତ୍ର ଆବେଗିକ ତଥା ଗରିମାମୟ ରୂପ ପ୍ରଦାନ କରିଛି ।