ସାରଜା: ମହିଳା ଟି-୨୦ ବିଶ୍ଵକପ୍ରେ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆଠୁ ୯ ରନରେ ପରାଜିତ ହୋଇଛି। ଏହି ପରାଜୟ ସହ ଭାରତର ବିଶ୍ଵକପ୍ରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତ ସେମିରେ ପହଞ୍ଚିବ କି ନାହିଁ ତାହା ଅନ୍ୟ ଦଳ ଉପରେ ନିର୍ଭର କରେ। ଅଧିନାୟକ ହରମନପ୍ରୀତ କୌର କ୍ରିଜରେ ଶେଷ ପର୍ଯ୍ୟନ୍ତ ଥିଲେ ମଧ୍ୟ ଦଳକୁ ଜିତାଇ ପାରି ନାହାନ୍ତି। ତାଙ୍କର ୪୭ ବଲ୍ରୁ ୫୪ ରନର ଇନିଂସ ବୃଥା ହୋଇଛି।
ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଦଳ ୮ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଗ୍ରେସ ହାରିସ ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଆଜିର ମ୍ୟାଚ୍ରେ ଅଧିନାୟକ ଦାୟିତ୍ଵ ତୁଲାଇଥିବା ତାହିଲା ମ୍ୟାକଗ୍ରା ୩୨ ରନ ଓ ଏଲିସ ପେରୀ ୩୨ ରନ କରିବାରୁ ଅଷ୍ଟ୍ରେଲିଆ ଏହି ସ୍କୋରରେ ପହଞ୍ଚି ପାରିଥିଲା।
ଭାରତ ୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ୪୭ ରନରେ ୩ ଓ୍ଵିକେଟ୍ ହରାଇଥିଲା। ସ୍ମୃତି ମନ୍ଧାନା ନିଜର ଖରାପ ଫର୍ମ ବଜାୟ ରଖି ଏହି ମ୍ୟାଚ୍ରେ ୬ ରନ କରିଥିଲେ। ଶେଫାଳି ବର୍ମା ୨୦ ରନ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଅଧିନାୟକ ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ଇନିଂସ ସମ୍ଭାଳି ଚତୁର୍ଥ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ିଥିଲେ।
୧୧୦ ରନ ସ୍କୋରରେ ଦୀପ୍ତି ଶର୍ମା ୨୯ ରନ କରି ଆଉଟ୍ ହେବା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଏକଦା ଭାରତ ୩ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ମାତ୍ର ପରବର୍ତ୍ତୀ ୩୧ ରନ ଭିତରେ ଦଳ ୬ ଓ୍ଵିକେଟ୍ ହରାଇଥିଲା। ବିଶେଷ କରି ଶେଷ ଓଭରର ପ୍ରଥମ ବଲ୍ରେ ହରମନପ୍ରୀତ କୌର ଏକ ରନ ନେବା ଦଳକୁ ମହଙ୍ଗା ପଡ଼ିଥିଲା। ଆଉ ଦଳ ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାରେ ସକ୍ଷମ ହୋଇଥିଲା।
ସେମିରୁ ବାଦ୍ ପଡ଼ିଲା କି ଭାରତ ?
ଅଷ୍ଟ୍ରେଲିଆ ଗ୍ରୁପ ଏରେ ନିଜର ସମସ୍ତ ୪ ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ପହଞ୍ଚି ସାରିଛି। ମାତ୍ର ଦ୍ଵିତୀୟ ସ୍ଥାନ ପାଇଁ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ଚାଲିଛି। ପାକିସ୍ତାନର ନେଟ୍ ରନ ରେଟ୍ ମାଇନସ ଥିବାରୁ ଏହାର ସେମିକୁ ଯିବା ଆଶା କ୍ଷୀଣ ଲାଗୁଛି। କିନ୍ତୁ ଭାରତ ପାଇଁ ବଡ଼ ବାଧକ ସାଜିପାରେ ନ୍ୟୁଜିଲାଣ୍ଡ।
ଭାରତର ନେଟ୍ ରନ ରେଟ୍ +0.322 ରହିଥିବା ବେଳେ ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ +0.282 ରହିଛି। ଆଉ ଦୁଇ ଦଳର ପଏଣ୍ଟ ସମାନ ରହିଛି। ଏହି କ୍ଷେତ୍ରର ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍ରେ ଯଦି ପାକିସ୍ତାନ ଜିତିଯାଏ ତେବେ ଭାରତ ସେମିରେ ପହଞ୍ଚିବ। ନ୍ୟୁଜିଲାଣ୍ଡ ଜିତିଲେ ଭାରତ ବିଶ୍ଵକପରୁ ବିଦା ହେବ।