ବାଇକ୍ ଚାଳନାରେ ମନିଷ ରାଠୀଙ୍କ ‘ଗିନିଜ୍ ୱାର୍ଲଡ ରେକର୍ଡ’, ହ୍ୟାଣ୍ଡଲ ନଧରି ଗୋଟିଏ ଟାୟାରରେ ଚଳାଇଲେ ୨,୩୪୯ ମିଟର

Published By : Prameya-News7 Bureau | December 11, 2024 IST

ବେଙ୍ଗାଲୁରୁ ୧୧।୧୨: ଭାରତୀୟ ସେନାରେ ହାବିଲଦାର ମନିଷ ରାଠୀ ୧୧ ଡିସେମ୍ବର ବୁଧବାର ବାଇକ୍ ଚାଳନାରେ ଗିନିଜ ୱାର୍ଲଡ ରେକର୍ଡ କରିଛନ୍ତି। ସେ ବେଙ୍ଗାଲୁରରେ ହ୍ୟାଣ୍ଡେଲ ନ ଧରି ୨,୩୪୯ମିଟର ପର୍ଯ୍ୟନ୍ତ ବାଇକ୍‌ କୁ ଗୋଟିଏ ଟାୟାରରେ ବାଇକ୍ ଚଳାଇ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ସେ ଏହି ଉଲ୍ଲେଖନୀୟ ଉପଲବ୍ଧି ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସ୍ ୱେରେ ୩ମିନିଟ୍ ୫୪ ସେକେଣ୍ଡରେ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ବାହନ ଚାଳାଇ ହାସଲ କରିଛନ୍ତି। 

ଏବେ ଭାରତୀୟ ସୈନିକ ମନିଷ ରାଠୀଙ୍କ ନାମ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଯାଇଛି। ମନିଷ ରାଠୀ ହରିୟାଣା ରୋହତକର ଜିନ୍ଦ୍ରାନ ଗ୍ରାମର ବାସିନ୍ଦା ଓ ସେ ୧୩ ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକର ବେଙ୍ଗାଲୁରୁରେ ହାବିଲଦାର ପଦବୀରେ ଅବସ୍ଥାପିତ ଅଛନ୍ତି। ମନିଷ ରାଠୀ ଭାରତୀୟ ସେନାର ଟିମ୍ ସହିତ ଅନେକ ବାଇକ୍ ଷ୍ଟଣ୍ଟରେ ଭାଗ ନେଇଛନ୍ତି। ସେ ବିଭିନ୍ନ ସ୍ଥାନରେ ୧୦୦ରୁ ୧୫୦ଟି ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି। 

ବିଶ୍ୱ ରେକର୍ଡ ହାସଲ କରିବା ପାଇଁ ସେ ୬ ମାସ ଧରି କଠିନ ପରିଶ୍ରମ କରିଛନ୍ତି। କଠୋର ଅଭ୍ୟାସ କାଳରେ ସେ ଅନେକ ଥର ପଡିଛନ୍ତି ହେଲେ ହାର ମାନି ନାହାନ୍ତି। ପିଲାଦିନୁ ବାଇକ୍ ଚଳାଇବା ମନିଷଙ୍କ ସଉକ ଥିଲା। ୨୦୧୧ରେ ସେନାରେ ଯୋଗଦେବା ପରେ ସେ ସେନାର ବାଇକ ଷ୍ଟଣ୍ଟ ଟିମ୍‌ ଦ୍ୱାରା ପ୍ରେରିତ ହୋଇଥିଲେ ଓ ଏହାର ଅଂଶବିଶେଷ ହୋଇଯାଇଥିଲେ। ୨୦୧୪ରେ ସେ ଅଧିକାରୀକ ଭାବେ ବାଇକ୍ ଷ୍ଟଣ୍ଟ ଟିମ୍‌ରେ ସାମିଲ ହୋଇଥିଲେ ଓ ଅଭ୍ୟାସ କରିବା ଆରମ୍ଭ କରିଥିଲେ। 

ପ୍ରଥମେ ପ୍ରଥମେ ସେ ବହୁତ ଡରୁଥିଲେ ଓ ବାଇକର ହ୍ୟାଣ୍ଡେଲ ଛାଡୁନଥିଲେ। ହେଲେ ଦୃଢତା ଯୋଗୁ ସେ ଧିରେ ଧିରେ ତାଙ୍କ କୌଶଳରେ ସୁଧାର କରିଥିଲେ।  ମନିଷ ତାଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏ ସେନାରେ ଯୋଗ ଦେଇଛନ୍ତି। ସେ ପିଲାଦିନରୁ ସେନାରେ ଯୋଗ ଦେବାକୁ ସ୍ୱପ୍ନ ଦେଖୁଥିଲେ। ଏହି ଲକ୍ଷ ହାସଲ କରିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ତାଙ୍କର ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ଏବେ ତାଙ୍କୁ କିଛି ଅସାଧାରଣ କରି ଦେଖାଇବାରେ ସହାୟତା କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.