ନୂଆଦିଲ୍ଲୀ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି ଇଂଲଣ୍ଡର ବ୍ୟାଟର ହ୍ୟାରି ବ୍ରୁକ। ସେ ନିଜ ଦେଶର ସାଥୀ ଖେଳାଳି ଜୋ ରୁଟ୍ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ରୁଟ୍ ଦୀର୍ଘ ସମୟ ଧରି ଟେସଷ୍ଟର ନମ୍ବର ଓ୍ଵାନ ଆସନରେ ବସିଥିଲେ। ହ୍ୟାରି ବ୍ରୁକ ୨୭ ମାସ ପୂର୍ବେ ଇଂଲଣ୍ଡ ପକ୍ଷରୁ ଟେଷ୍ଟରେ ପଦାର୍ପଣ କରିଥିଲେ। ଆଉ ନିରନ୍ତର ଦମଦାର ପ୍ରଦର୍ଶନ କରି ଆଜି ଶୀର୍ଷ ସ୍ଥାନ ଅକ୍ତିକାର କରିଛନ୍ତି। ଭାରତର ଯଶପ୍ରୀତ ବୁମରା ବୋଲିଂରେ ଓ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡରରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।
ହ୍ୟାରି ବ୍ରୁକ ୮୯୮ ରେଟିଂ ପଏଣ୍ଟ ପାଇଥିବା ବେଳେ ଜୋ ରୁଟ୍ ତାଙ୍କଠୁ କେବଳ ଗୋଟିଏ ରେଟିଂ ପଛରେ ଅଛନ୍ତି। ରୁଟ୍ ଚଳିତ ବର୍ଷ ଜୁଲାଇରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ ଏବଂ ନବମ ଥର ଟେଷ୍ଟର ନମ୍ବର ଓ୍ଵାନ ବ୍ୟାଟର ଥିଲେ। ଅନ୍ୟପଟେ ବ୍ରୁକ ୨୩ ଟେଷ୍ଟ ମ୍ୟାଚ୍ରେ ୬୧.୬୨ ହାରରେ ଆଠ ଶତକ ସହ ୨୨୮୦ ରନ କରିଛନ୍ତି। ଇଂଲଣ୍ଡର ତାରକା ବ୍ୟାଟର ବ୍ରୁକ ୨୦୨୪ରେ ୧୧ଟି ଟେଷ୍ଟରେ ୪ ଶତକ ସହିତ ୧୦୯୯ ରନ କରିଛନ୍ତି। ବ୍ରୁକ ୨୦୨୨ ସେପ୍ଟେମ୍ବରରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ।
Also read: ଶତ୍ରୁତା ନା ବାଧ୍ୟବାଧକତା; ଆଇପିଏଲ୍ ନିଲାମୀର ଅନସୋଲ୍ଡ ପ୍ଲେୟରଙ୍କୁ କିଣିବ ପାକିସ୍ତାନ ସୁପରଲିଗ୍
ବୁମରା ୮୯୦ ରେଟିଂ ପଏଣ୍ଟ ସହ ଟେଷ୍ଟ ବୋଲିଂ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଳବତ୍ତର ରଖିଛନ୍ତି। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡ଼ା(୮୫୬) ଓ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ(୮୫୧) ତୃତୀୟରେ ସ୍ଥାନରେ ରହିଛନ୍ତି। ଜାଡ଼େଜା ୪୧୫ ଅଙ୍କ ସହ ଅଲରାଉଣ୍ଡର ତାଲିକାରେ ନିଜର ଶୀର୍ଷ ସ୍ଥାନ ଜାରି ରଖିଛନ୍ତି। ବାଂଲାଦେଶର ଅଧିନାୟକ ମେହଦି ହସନ ମିରାଜ ୨୮୫ ପଏଣ୍ଟ ସହ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।