ଭଦ୍ରକ ୧୫।୭: ଆମକୁ ନ୍ୟାୟ ଦିଅ, ନହେଲେ ସମୂହ ଆତ୍ମାହୁତି ଦେବୁ । ଏଭଳି ଚେତାବନୀ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀ । ୫ ଦଫା ଦାବି ନେଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିବା ସହ ଏମିତି ଚେତାବନୀ ଦେଇଛନ୍ତି । ଭଦ୍ରକ ଜିଲ୍ଲା ନୟନମଣି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ନୟନମଣି ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲା ପକାଇବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ହେବ ୨୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀ ଦରମା ପାଇ ନାହାନ୍ତି । ନୂତନ ଅଧ୍ୟକ୍ଷାଙ୍କୁ ଦାୟିତ୍ଵ ଦେଉନାହାନ୍ତି ଦାୟିତ୍ଵରେ ଥିବା ଅଧ୍ୟକ୍ଷା । ଏମିତି ଅନେକ ଦାବି ରହିଥିବା ବେଳେ ଗଣଶିକ୍ଷା ବିଭାଗକୁ ମଧ୍ୟ ଏନେଇ ଅବଗତ କରାଯାଇଛି ।
ଗଭର୍ଣ୍ଣିଂ ବଡ଼ିର ସଭାପତି ଭାବେ ଉପଜିଲ୍ଲାପାଳ ଚିଠି କରୁଥିଲେ ମଧ୍ୟ ଅଧ୍ୟକ୍ଷା ବେଖାତିର କରୁଥିବା ଅଭିଯୋଗ ଆଣିଛନ୍ତି । ତେଣୁ ଏହି ବିବାଦର ସମାଧାନ ସହ ୫ ଦଫା ଦାବି ପୂରଣ ନହେଲେ ସମସ୍ତେ ସାମୁହିକ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି । ସେପଟେ ଘଟଣାକୁ ନେଇ କଲେଜର ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read:
FM କଲେଜର ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ