ମୋତେ ଅପମାନିତ କରାଯାଉଛି, ମୁଁ ଇସ୍ତଫା ଦେଇ ଦେବି: ବାଂଲାଦେଶ ରାଷ୍ଟ୍ରପତି

NEWS7
teacher-came-to-school-with-salaine-at-patanagada-

ଢାକା ୧୨।୧୧: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ରାଷ୍ଟ୍ରପତି ମହମଦ ଶାହବୁଦ୍ଦିନ ଏକମାତ୍ର ବ୍ୟକ୍ତି ଯିଏ ସାମ୍ବିଧାନିକ ପଦରେ ଅଛନ୍ତି। ହେଲେ ଦେଶର ଅନ୍ତରୀଣ ସରକାର ଲଗାତାର ତାଙ୍କର ଅପମାନ କରୁଛନ୍ତି। ଗୁରୁବାର ଦେଶରେ ନିର୍ବାଚନ ଘୋଷଣା ପରେ ସେ କହିଛନ୍ତି ଯେ ଫେବୃଆରୀରେ ନିର୍ବାଚନ ପରେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଇସ୍ତଫା ଦେବାର ଯୋଜନା କରୁଛନ୍ତି। ମହମଦ ଶାହାବୁଦ୍ଦିନ ଏପ୍ରିଲ ୨୦୨୩ରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେ ନିର୍ବିରୋଧରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।

ମହମଦ ଶାହବୁଦ୍ଦିନ ହସିନାଙ୍କ ଆବାମୀ ଲିଗ୍ ର ନେତା। ୫ ଅଗଷ୍ଟ ୨୦୨୪ରେ ହସିନା ସରକାରରୁ ହଟିବା ପରେ ସେ ପ୍ରତି କଥାରେ ଅପମାନିତ ହେଉଥିଲେ ହେଁ ଔପଚାରିକ ପଦବୀରେ ଦାୟିତ୍ୱ ତୁଲାଉଛନ୍ତି। ସେ ଏକ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ଯେ ଏଥି ପାଇଁ ଇସ୍ତଫା ଦେବାକୁ ଚାହୁଁଛନ୍ତି କାରଣ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଦ୍ୱାରା ଅପମାନିତ କରାଯାଉଛି। ରାଷ୍ଟ୍ରପତିଙ୍କର କୌଣସି ଶକ୍ତି ରଖା ଯାଇ ନାହିଁ।

ଢାକାସ୍ଥିତ ତାଙ୍କ ଅଧିକାରୀକ ଆବାସରୁ ହ୍ୱାଟଆପ୍ ସାକ୍ଷାତକାରରେ ମହମ୍ମଦ ଶାହବୁଦ୍ଦିନ କହିଛନ୍ତି ଯେ ‘ମୁଁ ଯିବାକୁ ଚାହୁଁଛି, ବାହାରିଯିବାରେ ହିଁ ମୋର ଋଚି। ହେଲେ ଯେଉଁ ପର୍ଯ୍ୟନ୍ତ ନିର୍ବାଚନ ନ ହୋଇଯାଇଛି ସେ ପର୍ଯ୍ୟନ୍ତ ମୋତେ ପଦରେ ରହିବାକୁ ପଡିବ। ମୁଁ ଏଥି ପାଇଁ ମୋ ପଦରେ ରହିଛି କାରଣ ସମ୍ବିଧାନ ଦ୍ୱାରା ମୋତେ ଏହା କରିବା ଦରକାର’। ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ଯେ ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ ପାଖାପାଖି ୭ ମାସ ହେଲା ତାଙ୍କୁ ଭେଟି ନାହାନ୍ତି। ତାଙ୍କର ପ୍ରେସ୍ ବିଭାଗ ତାଙ୍କ ହାତରୁ ଛଡାଇ ନିଆଯାଇଛି ଓ ସେପ୍ଟେମ୍ବର ମାସରୁ ସାରା ବିଶ୍ୱରେ ଥିବା ବାଂଲାଦେଶ ଦୂତାବାସମାନଙ୍କରୁ ତାଙ୍କ ଫଟୋଚିତ୍ର କାଢି ଦିଆଯାଇଛି।

ବାଂଲାଦେଶ ରାଷ୍ଟ୍ରପତି ସେନାର କମାଣ୍ଡର-ଇନ-ଚିଫ ଅଟନ୍ତି। ହେଲେ ସବୁ କ୍ଷମତା ମହମଦ ୟୁନୁସ ଓ ତାଙ୍କ କ୍ୟାବିନଟ ହାତରେ ରହିଛି। କୌଣସି ରାଷ୍ଟ୍ରପତିଙ୍କ ପାଇଁ ଏହା ଘୋର ଆପମାନ। ଏହି ସବୁ ପ୍ରସଙ୍ଗରେ ରାଷ୍ଟ୍ରପତି ମହମଦ ୟୁନୁସଙ୍କୁ ପତ୍ର ମଧ୍ୟ ଲେଖିଥିଲେ, ହେଲେ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ଓ ରାଷ୍ଟ୍ରପତିଙ୍କ ସ୍ୱରକୁ ଦବାଇ ଦିଆଯାଇଛି। ନ୍ୟୁଜ ଏଜେନ୍ସୀଙ୍କ ଅନୁସାରେ ୟୁନୁସଙ୍କ ପ୍ରେସ ପରାମର୍ଶଦାତାମାନେ ପ୍ରସଙ୍ଗରେ କୌଣସି ଟିପ୍ପଣୀ କରି ନାହାନ୍ତି। ଶାହବୁଦ୍ଦିନ କହିଛନ୍ତି ଯେ ଦେଶରେ ହସିନା ସରକାର ଭଙ୍ଗ ପରେ କିଛି ବିକ୍ଷୋଭକାରୀ ଛାତ୍ର ତାଙ୍କର ଇସ୍ତଫା ଦାବି କରିଥିଲେ। ହେଲେ ଦେଶର କୌଣସି ରାଜନୈତିକ ପାର୍ଟିମାନେ ଗତ ଦିନମାନଙ୍କରେ ତାଙ୍କୁ ଏପରି କୌଣସି ଅନୁରୋଧ କରି ନାହାନ୍ତି।

୭୫ ବର୍ଷ ବୟଷ୍କ ଶାହବୁଦ୍ଦିନଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୮ରେ ସମାପ୍ତ ହେବ। ଶାହବୁଦ୍ଦିନ କହିଛନ୍ତି ଯେ ସେ ସେନା ମୁଖ୍ୟ ୱାକର-ଉଜ-ଜମାନଙ୍କ ସହିତ ନିୟମତି ସମ୍ପର୍କରେ ଅଛନ୍ତି। ତେବେ ହସିନା ନିର୍ବାସନ ପରେ ତାଙ୍କ ସହ ସମ୍ପର୍କରେ ଅଛନ୍ତି କି ବୋଲି ପ୍ରଶ୍ନ କରାଯିବାରେ ଶାହବୁଦ୍ଦିନ ଏ ନେଇ କୌଣସି ଟିପ୍ପଣୀ କରି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ରାଷ୍ଟ୍ରପତି ହେବା ପରେ ସେ ସ୍ୱାଧୀନ ରୂପେ କାମ କରୁଛନ୍ତି କୌଣସି ରାଜନୈତିକ ପାର୍ଟି ସମ୍ପର୍କରେ ନାହାନ୍ତି।