ନୂଆଦିଲ୍ଲୀ ୧୧/୧୨: ଟିକସଦାତାଙ୍କୁ ମିଳିପାରେ ଖୁସି ଖବର । ଜୁଲାଇରେ ଉପସ୍ଥାପିତ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ଟିକସଦାତାଙ୍କୁ ଅଳ୍ପବହୁତେ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆସନ୍ତା ବର୍ଷ ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବାକୁ ଥିବା ପରବର୍ତ୍ତୀ ବଜେଟରେ କମ୍ ଆୟ ବର୍ଗର ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି । ନୂଆ ଟିକସ ଢ଼ାଞ୍ଚା ଅଧୀନରେ ୩ ଲକ୍ଷରୁ ୭ ଲକ୍ଷ ଟଙ୍କାର ଟିକସ ସ୍ଲାବ୍ରେ ଆସୁଥିବା ବ୍ୟକ୍ତିଗତ କରଦାତାଙ୍କୁ ଟିକସ ହ୍ରାସର ଲାଭ ମିଳିପାରେ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ନୂଆ ବ୍ୟବସ୍ଥା ଅଧୀନରେ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ଆହୁରି ଅଧିକକୁ ବଢ଼ାଇପାରନ୍ତି । ସୂତ୍ର ଅନୁସାରେ, ନିମ୍ନ ଆୟ ବର୍ଗଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଶା କରାଯାଉଛି କିନ୍ତୁ ଉଚ୍ଚ ଟିକସ ସ୍ଲାବ୍ ପାଇଁ କୌଣସି ବଡ଼ ପରିବର୍ତ୍ତନ ଆଶା ନାହିଁ । ଜୁଲାଇରେ ଉପସ୍ଥାପିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ ୨୦୨୪-୨୫ ପାଇଁ ନୂଆ ଟିକସ ବ୍ୟବସ୍ଥାରେ ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିଲେ । ଟିକସ ସ୍ଲାବ୍ରେ ପରିବର୍ତ୍ତନ କରାଯାଇଥିଲା ।
ଏହା ଅଧୀନରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବନି । ଏହାସହିତ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମାକୁ ୫୦,୦୦୦ ଟଙ୍କାରୁ ବଢ଼ାଇ ୭୫,୦୦୦ ଟଙ୍କା କରାଯାଇଥିଲା । ଶିଳ୍ପସଂଘ ସିଆଇଆଇ ସରକାରଙ୍କୁ ୨୦୨୪-୨୫ ପାଇଁ ଜିଡିପିର ୪.୯% ଏବଂ ୨୦୨୫-୨୬ ପାଇଁ ଜିଡିପିର ୪.୫% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟରେ ଅଟଳ ରହିବା ପାଇଁ ପରାମର୍ଶ ଦେଇଛି ।
ଏହା ସତର୍କ କରାଇଛି ଯେ, ଅତ୍ୟଧିକ ଆକ୍ରାମକ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଭାରତର ଆର୍ଥିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ, ବିଶ୍ୱ ଅର୍ଥବ୍ୟବସ୍ଥା ଧୀମା ଗତିରେ ଯାଉଥିବାବେଳେ ଭାରତ ଦ୍ରୁତ ବେଗରେ ଆଗକୁ ବଢୁଛି ।
ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ବିବେକପୂର୍ଣ୍ଣ ରାଜକୋଷୀୟ ବ୍ୟବସ୍ଥା କରିବାକୁ ପଡ଼ିବ । ଆଗକୁ ବଜେଟ୍ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶୁକ୍ରବାରଠାରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ପ୍ରାକ୍-ବଜେଟ୍ ବୈଠକ ଆରମ୍ଭ କରିଛନ୍ତି । ବଜେଟ୍ ପ୍ରସ୍ତୁତି କାର୍ଯ୍ୟବିଧିର ଅଂଶବିଶେଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟ୍କୁ ନେଇ ପରାମର୍ଶ ଗ୍ରହଣ କରିବେ ।