ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ତାଗିଦକୁ ଖାତିର ନ କରି ଭାରତରେ ନିଜ ଉପସ୍ଥିତି ବଢ଼ାଇ ଚାଲିଛି ଆପଲ। ଗୁରୁବାର ଏନେଇ ଆପଲ ସମ୍ପର୍କରେ ଆଉ ଖବର ସାମ୍ନାକୁ ଆସିଛି। ଆପଲ୍ ଭାରତରେ ଆଇଫୋନ୍ ଏବଂ ମ୍ୟାକବୁକ୍ ମରାମତି ପାଇଁ ଟାଟା ଗ୍ରୁପ୍କୁ ଦାୟିତ୍ୱ ଦେଇଛି। ଫଳରେ ଦୁଇ କମ୍ପାନୀର ସହଭାଗୀତାର ବିସ୍ତାର ଏବଂ ଆପଲର ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତୀୟ କମ୍ପାନୀର ଭୂମିକାକୁ ଏଥିରେ ବଢ଼ି ଯାଇଛି। ଏହି ନୂଆ ଡେଭଲପ ନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି।
ଆମେରିକାର ଏହି ଟେକ୍ ଜାଏଣ୍ଟ ଚୀନ୍ ବାହାରେ ଏହାର ଉତ୍ପାଦନ କ୍ଷେତ୍ରରେ ବିବିଧତା ଆଣିବା ଜାରି ରଖିଥିବାରୁ, ଟାଟା ଏକ ପ୍ରମୁଖ ସହଯୋଗୀ ଭାବରେ ଉଭା ହୋଇଛି। ଏହି ଜଏଣ୍ଟ ଭେଞ୍ଚର ଦକ୍ଷିଣ ଭାରତର ତିନୋଟି କାରଖାନାରୁ ଆଇଫୋନ୍ ଆସମ୍ବେଲ କରୁଛନ୍ତି। ଏଥିରେ ଗୋଟିଏ ପ୍ଲାଣ୍ଟରେ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ତିଆରି ମଧ୍ୟ କରାଯାଉଛି।
ଆଇଫୋନ୍ ଆସେମ୍ବଲ କରିବା ପରେ ଏବେ ଟାଟା ଏହାର ମରାମତି କାମ କରିବ। ଏଥିପାଇଁ ଟାଟା ୱିଷ୍ଟ୍ରନର ସ୍ଥାନୀୟ ୟୁନିଟ୍, ଆଇସିଟି ସର୍ଭିସ୍ ମ୍ୟାନେଜମେଣ୍ଟ ସଲ୍ୟୁସନ୍ସ ଠାରୁ ଏହି ଦାୟିତ୍ୱ ହାତକୁ ନେଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କର୍ଣ୍ଣାଟକରେ ଟାଟାର ଆଇଫୋନ୍ ଆସେମ୍ବଲି ପ୍ଲାଣ୍ଟରେ ଆପଲ ପ୍ରଡକ୍ଟର ମରାମତି କରାଯିବ।
କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାର ହୋଇଥିବା ବେଳେ ଏଠାରେ ଆଇଫୋନ୍ ବିକ୍ରୟ ବୃଦ୍ଧି ପାଉଛି। ୨୦୨୩ ମସିହାରେ ପ୍ରାୟ ୧୧ ମିଲିଅନ ଆଇଫୋନ ୟୁନିଟ୍ ବିକ୍ରି ହୋଇଛି। ୨୦୨୦ରେ ମାତ୍ର ୧% ବଜାର ଅଂଶ ଥିବା ବେଳେ ଗତ ବର୍ଷ ଏହା ୭% ବୃଦ୍ଧି ହୋଇଥିଲା। ତେଣୁ ଆଇଫୋନ ବିକ୍ରି ବୃଦ୍ଧି ଯୋଗୁ ଡିଭାଇସ୍ ମରାମତି ବ୍ୟବସାୟରେ ବୃଦ୍ଧି ହୋଇପାରେ ବିଚାର କରି ଆପଲ ଟାଟାକୁ ଏହି ଦାୟିତ୍ୱ ଦେଇଛି।
ଏହି ସହଭାଗୀତା ଟାଟା ଉପରେ ଆପଲର ବଢ଼ୁଥିବା ବିଶ୍ୱାସକୁ ସଙ୍କେତ ଦେଉଛି। ଆପଲ ଆମେରିକା ପରି ଭାରତରେ ମଧ୍ୟ ଏହାର ମରାମତି ସେକେଣ୍ଡହ୍ୟାଣ୍ଡ ସ୍ମାର୍ଟଫୋନ୍ ବିକ୍ରି କରିବା ପାଇଁ ମୂଳଦୁଆ ପକାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।
ସେପେଟ ଟାଟାର ଆଇସିଟି ଠାରୁ ମରାମତି ସୁବିଧା ଅଧିଗ୍ରହଣ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ତେବେ ୱିଷ୍ଟ୍ରନ୍ ଭାରତରେ ବ୍ୟବସାୟ ବନ୍ଦ କରିବ ନାହିଁ, ତେବେ ଅଣ-ଆପଲ ଗ୍ରାହକମାନଙ୍କୁ ସେବା ଯୋଗାଇବା ଜାରି ରଖିବ ବୋଲି ସୂତ୍ରରୁ ସୂଚନା ମିଳିଛି। ତେବେ ଏନେଇ ଆପଲ୍ ଓ ୱିଷ୍ଟ୍ରନ୍ କୌଣସି ମତାମତ ଦେଇ ନଥିବା ବେଳେ ଟାଟା ମୁଖପାତ୍ର କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ଖବର ପ୍ରକାଶ ପାଇଛି।
ଆପଲ୍ର ଅଫିସିଆଲ୍ ସର୍ଭିସ ସେଣ୍ଟରଗୁଡ଼ିକରେ ଯଦିଓ ଛୋଟମୋଟ ମରାମତି କାମ ଜାରି ରହିବ ତେବେ ଆଇଫୋନ ଏବଂ ମ୍ୟାକ୍ବୁକ୍ ସହ ଜଟିଳ କେସ୍ଗୁଡ଼ିକ ଏବେ ଟାଟାର କର୍ଣ୍ଣାଟକ ୟୁନିଟ୍କୁ ପଠାଯିବ।