Air India ବିମାନ ଦୁର୍ଘଟଣା ମୃତକଙ୍କ ପରିବାର ନିମନ୍ତେ କ୍ଷତିପୂରଣ ଘୋଷଣା କଲେ TATA ଗ୍ରୁପ

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ ୧୨।୬: ଟାଟା ସମୂହ ଗୁରୁବାର ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ନିମନ୍ତେ ୧ କୋଟି ଟଙ୍କା ଲେଖାଏଁ  ସହାୟତା ରାଶି ଘୋଷଣା କରିଛନ୍ତି। ଏହା ଛଡା ଟାଟା ସମୂହ ଦୁର୍ଘଟଣାରେ ଆହତ ସମସ୍ତଙ୍କ ଚିକିତ୍ସା କଭର ସୁବିଧା ମଧ୍ୟ ଯୋଗାଇ ଦେବେ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିମାନରେ ୧୨ ଚାଳକଦଳ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। 

ଟାଟା ସନସ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଜାରି ବୟାନରେ କହିଛନ୍ତି ଯେ ଏୟଆର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ସମ୍ପର୍କିତ ଦୁଃଖଦ ଘଟଣାରେ ଆମେ ସମସ୍ତେ ଦୁଃଖି। ଏହି ସମୟରେ ଆମେ ଯେଉଁ ଦୁଃଖ ଅନୁଭବ କରୁଛୁ ଏହାକୁ ଶବ୍ଦରେ ବୟାନ କରିହେବ ନାହିଁ। ଚନ୍ଦ୍ରଶେଖରନ ଲେଖିଛନ୍ତି ଆମେ ସେହି ପରିବାରଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ  ଯେଉଁମାନେ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଓ ଯେଉଁମାନେ ଆହତ ହୋଇଛନ୍ତି। 

ଟାଟା ସମୂହ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଲେଖାଏଁ  ସହାୟତା ରାଶି ପ୍ରଦାନ କରିବ। ସେହିପରି ଆହତଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ମଧ୍ୟ ବହନ କରାଯିବ ଓ ଏହା ସୁନିଶ୍ଚିତ କରାଯିବ ଯେ ସେମାନଙ୍କୁ ସବୁ ଆବଶ୍ୟକ ଦେଖାଶୁଣା ଓ ସହାୟତା ଯେପରି ମିଳିବ। ଏହା ଛଡା ଟାଟା ସମୂହ ବି.ଜେ.ମେଡିକାଲ ଛାତ୍ରାବାସ ନିର୍ମାଣ ଲାଗି ମଧ୍ୟ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ସମୂହ ପକ୍ଷରୁ କୁହାଯାଇଛି ଯେ ଏହି ଅକଳ୍ପନୀୟ ସମୟରେ ପ୍ରଭାବିତ ପରିବାର ଓ ସମୂଦାୟଙ୍କ ସହିତ ଆମେ ଛିଡା ହୋଇଛୁ। 

ଉଲ୍ଲେଖଯୋଗ୍ୟ ଯେ ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ଡ୍ରିମଲାଇନର ଫ୍ଲାଇଟ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନ ବି.ଜେ. ମେଡିକାଲ କଲେଜ ନିକଟସ୍ଥ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଖସିପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.