ନୂଆଦିଲ୍ଲୀ: ପାକିସ୍ତାନ ସହ ଆସ୍ତ୍ର ବିରତି ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆସିଥିବା ପ୍ରତିକ୍ରିୟାର ପୁଣିଥରେ ସମାନ ଉତ୍ତର ରଖିଛନ୍ତି ଭାରତ ସରକାର। ଆମେରିକା ସହ ପାକିସ୍ତାନ ବିଷୟରେ ଆଲଚୋନା ବେଳେ ଶୁଳ୍କ ନେଇ କୌଣସି ଆଲୋଚନା ହୋଇ ନଥିଲା ବୋଲି ଭାରତ କହିଛି। ଏହା ପୂର୍ବରୁ ଟ୍ରମ୍ପ ସରକାର ଆମେରିକାର ଏକ କୋର୍ଟକୁ ଭାରତ ପାକିସ୍ତାନ ସିଜ୍ ଫାୟାର ସମ୍ପର୍କରେ ଭଲ୍ ତଥ୍ୟ ଦେଇଥିଲେ। ଟାରିଫ ମଧ୍ୟ ଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ସିଜ୍ ଫାୟାର ହେଲା ବୋଲି ଟ୍ରମ୍ପ ପ୍ରଶାସନ କୋର୍ଟରେ କହିଥିଲେ। ଏହାପରେ ଗୁରୁବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଜର ସ୍ପଷ୍ଟୀକରଣ ରଖିଛି।
ଏନେଇ ରଣଧୀର ଜୈୟସ୍ୱାଲ କହିଛନ୍ତି “ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଭାରତ ସ୍ପଷ୍ଟ ଭାବରେ ବିରୋଧ କରିଥିଲା। ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ମେ ୧୦ ତାରିଖରେ ବନ୍ଦ ହେବା ପର୍ଯ୍ୟନ୍ତ, ଭାରତ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଶୁଳ୍କ ପ୍ରସଙ୍ଗ କେବେ ଉଠିନଥିଲା।” ଟ୍ରମ୍ପ ପାଲଟା ଶୁଳ୍କର ୯୦ ଦିନ ଭିତରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ବେଳେ ଉଭୟ ପକ୍ଷରୁ ଏଭଳି ମନ୍ତବ୍ୟ ଆସିବା ଚିନ୍ତା ଜନକ ରହିଛି।
ମେ ୨୩ ତାରିଖରେ, ଟ୍ରମ୍ପ ପ୍ରଶାସନ ପ୍ରଥମ ଥର ପାଇଁ ଏକ ଆଇନଗତ ଫୋରମରେ ଆମେରିକାର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଯୋଗୁ ସିଜ୍ ଫାୟାର ହେଲା ବୋଲି ଦାବି କରିଥିଲା। ଯୁଦ୍ଧକୁ ଏଡ଼ାଇବା ପାଇଁ ଉଭୟ ରାଷ୍ଟ୍ରକୁ ବାଣିଜ୍ୟିକ ଅଫର ଦେବା ପରେ ଯୁଦ୍ଧବିରତି ହୋଇଥିଲା ବୋଲି ଆମେରିକା ଦାବି କରିଥିଲା। ତେବେ ଆମେରିକା ଏପରି ଦାବି କରିବାର କାରଣ ବି ରହିଛି। ପ୍ରକୃତରେ ଟ୍ରମ୍ପ ପ୍ରଶାସନର ଏଭଳି ଆଖିବୁଝା ଶୁଳ୍କ ଲାଗୁ କରିବା ମାମଲା ବର୍ତ୍ତମାନ ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟରେ ପହଞ୍ଚିଛି। କାଳେ କୋର୍ଟ ପକ୍ଷରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପ୍ରତିହତ କରିବା ପାଇଁ କୌଣଶି ଆଇନଗତ ଘୋଷଣା କରାଯିବ ତେଣୁ ତାକୁ ସୁରକ୍ଷା ଦେବାକୁ ଶେଷ ପ୍ରୟାସ ହିସାବରେ ଆମେରିକା ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତରେ ଏହି ତଥ୍ୟ ଦେଇଛି ବୋଲି କୁହାଯାଉଛି। ତେବେ ବାଣିଜ୍ୟ ଅଦାଲତ ଆମେରିକାର ତର୍କକୁ ଯଥାର୍ଥ ବୋଲି ଭାବି ନଥିଲେ। ତେଣୁ ଟ୍ରମ୍ପଙ୍କ ଟାରିଫ କାର୍ଯ୍ୟକାରୀ ଉପରେ ସେ ରୋକ୍ ଲଗାଇଛନ୍ତି।
ଏହା ପୂର୍ବରୁ ମଧ୍ୟ ଯୁଦ୍ଧ ବିରତିରେ ଟ୍ରମ୍ପଙ୍କ ଭୂମିକାକୁ ଭାରତ ଖଣ୍ଡନ କରି ଆସିଛି। ଉଭୟ ଦେଶ ସିଧାସଳଖ ପରସ୍ପର ସହିତ କଥା ହୋଇ ଯୁଦ୍ଧ ବିରତି କରିଥିଲେ ବୋଲି ଭାରତ ସରକାର କହିଛନ୍ତି।