ଶ୍ରୀଦେବୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାଁନ୍ତି ତମନ୍ନା, କହିଲେ-ସୁଯୋଗ ମିଳିଲେ...

Published By : Prameya-News7 Bureau | March 19, 2025 IST

ମୁମ୍ଵାଇ ୧୯।୦୩; ଦକ୍ଷିଣ ସିନେ ଜଗତରେ ମୁଖ୍ୟ ଅଭିନେତ୍ରୀ ଭାବେ ପରିଚୟ ହାସଲ କରିବା ପରେ ବଲିଉଡ୍‌ରେ ଲୋକପ୍ରିୟ ହେବାକୁ ଚେଷ୍ଟା ଚଳାଇଛନ୍ତି ତମନ୍ନା ଭାଟିଆ । ନିକଟରେ ଏକ ସାକ୍ଷାତକାରରେ ତମନ୍ନାଙ୍କୁ ପଚରାଗଲା ଯେ ଯଦି ଫିଲ୍ମରେ ଜଣେ ପ୍ରସିଦ୍ଧ ଷ୍ଟାଇଲ୍‌ ଆଇକନ୍‌ଙ୍କ ଭୂମିକା ନିର୍ବାହ କରିବାକୁ କୁହାଯାଏ, ତେବେ ସେ କାହାକୁ ପସନ୍ଦ କରିବେ । ଟିକିଏ ବି ବିଳମ୍ବ ନ କରି ଶ୍ରୀଦେବୀ ମ୍ୟାଡାମ୍‌ ବୋଲି ତମନ୍ନା କହିଲେ । ଶ୍ରୀଦେବୀଙ୍କୁ ସେ ସୁପର୍‌ ଆଇକନିକ୍‌ ଏବଂ ସର୍ବଦା ତାଙ୍କୁ ପସନ୍ଦ କରନ୍ତି ବୋଲି କହିଲେ । ତେବେ ପ୍ରଥମ ଥର ତମନ୍ନା ନିଜର ଇଚ୍ଛା ଜାହିର କରିନାହାନ୍ତି । ଅତୀତରେ ଏକ ସାକ୍ଷାତକାରରେ ଶ୍ରୀଦେବୀଙ୍କ ବାୟୋପିକ୍‌ କରିବାର ଇଚ୍ଛା ବିଷୟରେ ସେ କହିଥିଲେ । 

ଏହା ଶ୍ରୀଦେବୀଙ୍କ ପ୍ରତି ତମନ୍ନାଙ୍କର ଗଭୀର ସମ୍ମାନ ଏବଂ ତାଙ୍କ କାହାଣୀକୁ ବଡ଼ ପରଦାକୁ ଆଣିବାର ସ୍ୱପ୍ନକୁ ଦର୍ଶାଉଛି । ଦୀର୍ଘ ୫ ଦଶନ୍ଧିରୁ ଉଦ୍ଧ୍ୱର୍ ଅବଧିର କ୍ୟାରିଅର୍‌ରେ ଶ୍ରୀଦେବୀ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍‌ ଓ କନ୍ନଡ଼ ଫିଲ୍ମରେ କାମ କରିଥିଲେ । ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମ ‘କନ୍ଧନ କରୁନାଲ’ ଜରିଆରେ ଜଣେ ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଶ୍ରୀଦେବୀ । ବଡ଼ ହେବା ପରେ ମୁଖ୍ୟ ନାୟିକା ଭାବେ ଫିଲ୍ମରେ କାମ କଲେ । ତାଙ୍କ ବହୁମୁଖୀ ପ୍ରତିଭା ଦର୍ଶକଙ୍କ ମନ ଜିଣିଲା । ଅନେକ ହିଟ୍‌ ଫିଲ୍ମରେ ସେ କାମ କରି ଭାରତର ଅଗ୍ରଣି ମହିଳା ସୁପର୍‌ଷ୍ଟାର୍‌ ପରିଚୟ ହାସଲ କଲେ । ନିଜ ସମୟର ସର୍ବାଧିକ ପାରିଶ୍ରମିକପ୍ରାପ୍ତ ମହିଳା ଅଭିନେତ୍ରୀ ମଧ୍ୟ ପାଲଟିଲେ । 

କିନ୍ତୁ ୨୦୧୮ ମସିହାରେ ତାଙ୍କର ଦେହାନ୍ତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଲା । ସିନେମାରେ ତାଙ୍କ ପ୍ରଭାବ ଆଜି ବି ରହିଛି । ଶ୍ରୀଦେବୀଙ୍କ ବାୟୋପିକ୍‌ ବିଷୟରେ କୌଣସି ଔପଚାରିକ ଖବର ନ ଥିଲେ ମଧ୍ୟ ଏହି ଇଚ୍ଛା ଦିନେ ନିଶ୍ଚୟ ପୂରଣ ହେବ ବୋଲି ତମନ୍ନା ଆଶା ବାନ୍ଧିଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ତେଲୁଗୁ ସୁପରନ୍ୟାଚୁରାଲ ଥ୍ରିଲର ‘ଓଡେଲା-୨’ । ତେଲଙ୍ଗାନାର ଓଡେଲା ଗାଁର ବାସ୍ତବ କାହାଣୀ ଦ୍ୱାରା ପ୍ରେରିତ ‘ଓଡେଲା ରେଲୱେ ଷ୍ଟେସନ୍‌’ର ଏହା ସିକ୍ୱେଲ । ଏଥିରେ ତମନ୍ନାଙ୍କ ସହ ହେବାହ ପଟେଲ ଓ ବଶିଷ୍ଠ ଏନ୍‌. ଶିମ୍‌ହା ଅଭିନୟ କରିଛନ୍ତି । ବଲିଉଡ୍‌ ଆକ୍ସନ୍‌-ଥ୍ରିଲର ଫିଲ୍ମ ‘ରେଞ୍ଜର୍‌’ରେ ଅଜୟ ଦେବଗନ ଓ ସଞ୍ଜୟ ଦତ୍ତଙ୍କ ସହ ମଧ୍ୟ ତମନ୍ନା ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.