ମହମ୍ମଦ ବିନ ସଲମାନଙ୍କ ସମାଲୋଚକଙ୍କୁ ସାଉଦୀ ଦେବ ୩ ମିଲିୟନ ପାଉଣ୍ଡ, ଜାଣନ୍ତୁ କାହିଁକି?

NEWS7
talcher-deputy-director-of-mines-dharanidhar-naik-arrested-by-vigilance

ଲଣ୍ଡନ ୨।୨: ସାଉଦୀ ଆରବ କ୍ରାଉନ ପ୍ରିନ୍ସ ମହମଦ ବିନ ସଲମାନ (ଏମବିଏସ)ଙ୍କ ସମାଲୋଚକ ସାଉଦୀ ୟୁଟ୍ୟୁବର ତଥା କମେଡିୟାନ ଧନେମ ଅଲ-ମସରିରଙ୍କୁ ନେଇ ବଡ଼ ରାୟ ଆସିଛି। ବ୍ରିଟେନର ଏକ କୋର୍ଟ ସାଉଦୀ ଆରବକୁ ଅଲ-ମସରିରଙ୍କୁ କ୍ଷତିପୂରଣ ଆକାରରେ ୩ ମିଲିୟନ ପାଉଣ୍ଡ (୩୮ କୋଟି ଟଙ୍କା) ଦେବାକୁ ଆଦେଶ ଦେଇଛି। ଏହି ରାୟ ପାଖାପାଖି ୬ ବର୍ଷ ହେଲା ଚାଲିଥିବା ମାମଲାରେ ଆସିଛି। ଧନେମ ଅଲ-ମସରିର ପାଖାପାଖି ୨୦ ବର୍ଷ ହେଲା ବ୍ରିଟେନରେ ବସବାସ କରୁଛନ୍ତି। ସେ ଲଣ୍ଡନର ଭେମ୍ବଲୀ ଅଞ୍ଚଳରେ ରହୁଛନ୍ତି।

ଅଲ-ମସରୀର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ବ୍ୟଙ୍ଗ ଓ କମେଡି ଜରିଆରେ ସାଉଦୀ ରାଜପରିବାରର ସମାଲୋଚନା କରିଥାନ୍ତି। ତାଙ୍କ ଭିଡିଓ ଆରବ ଦେଶରେ ବେଶ୍ ଲୋକପ୍ରିୟ ଓ ଏ ପର୍ଯ୍ୟନ୍ତ ତାଙ୍କ ଭିଡିଓ ୩୪୫ ମିଲିୟନରୁ ଅଧିକବାର ଦେଖା ଯାଇସାରିଲାଣି। ତେବେ ୨୦୧୮ ମସିହାରେ ଅଲ-ମସରିରଙ୍କ ଆଇଫୋନ ହ୍ୟାକ୍ କରି ଦିଆଯାଇଥିଲା। ତାଙ୍କୁ ଏପରି କିଛି ଲିଂକ ପଠାଯାଇଥିଲା ଯାହା ଅନଲାଇନ ନ୍ୟୁଜ ୱେବସାଇଟର ସବସ୍କ୍ରିପସନ ଭଳି ଲାଗୁଥିଲା। ସେ ଏହି ଲିଂକରେ କ୍ଲିକ୍ କରିବା ମାତ୍ରେ ତାଙ୍କ ଫୋନରେ ପେଗାସସ୍ ସ୍ପାଇୱେର ଡାଉନଲୋଡ ହୋଇଯାଇଥିଲା।

ଋଷିଆରେ ପ୍ରକୃତିର ଚମତ୍କାର, ଏକ ସାଙ୍ଗରେ ଦେଖା ଗଲା ୪ ଚନ୍ଦ୍ର

ଏହା ପରେ ତାଙ୍କ ଫୋନ ଅଜବ କାମ କରିବା ଆରମ୍ଭ କରିଥିଲା ଓ ବ୍ୟାଟେରୀ ଶୀଘ୍ର ଶୀଘ୍ର ଡିସଚାର୍ଜ ହୋଇଯାଉଥିଲା । ଅଲ-ମସରୀର ତାଙ୍କ ଲୋକେସନ ଉପରେ କେହି ନଜର ରଖୁଥିବାର ସନ୍ଦେହ କରିଥିଲେ। ହ୍ୟାକିଙ୍ଗର କିଛି ସମୟ ପରେ ଅଗଷ୍ଟ ୨୦୧୮ ମସିହାରେ ଅଲ-ମସରିରଙ୍କ ଉପରେ ଲଣ୍ଡନର କେନ୍ଦ୍ର ସ୍ଥଳରେ ଆକ୍ରମଣ ହୋଇଥିଲା। ଏହା ପରଠାରୁ ମସରିରଙ୍କୁ ଲଗାତାର ହଇରାଣ କରାଯାଉଥିଲା।

ତେବେ ମସରିରଙ୍କ ଫୋନ ହ୍ୟାକିଂ ହେବା ଓ ତାଙ୍କ ଉପରେ ଆକ୍ରମଣ ଘଟଣା ପଛରେ ସାଉଦୀ ସରକାର ଅଥବା ତାଙ୍କ ସମ୍ପର୍କିତ ଲୋକଙ୍କ ହାତ ଥିବାର ଲଣ୍ଡନ କୋର୍ଟରେ ମଜଭୁତ ପ୍ରମାଣ ଉପସ୍ଥାପିତ ହୋଇଥିଲା। ସାଉଦୀ ସରକାର ତାଙ୍କର ସମାଲୋଚନାକାରୀଙ୍କ ପ୍ରତି ଦମନକାରୀ ନୀତି ପ୍ରୟୋଗ କରିଥିବା କୋର୍ଟଙ୍କୁ ବିଶ୍ୱାସ ହୋଇଥିଲା। ଏହି ପୁରା ଘଟଣାକ୍ରମ ଅଲ- ମସରିରଙ୍କ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇଥିଲା।

ଅଲ-ମସରିର ମାନସିକ ଅଶାନ୍ତି, ଡର ଓ ଅବସାଦରେ ଜୀବନ ବିତାଇବାରେ ଲାଗିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସେ ଗତ ୩ ବର୍ଷରେ ଗୋଟିଏ ବି ୟୁଟ୍ୟୁବ ଭିଡିଓ ତିଆରି ପାରି ନାହାନ୍ତି। ଅଲ-ମସରିର କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ନିଶ୍ଚିତ ତାଙ୍କ ସପକ୍ଷରେ ଆସିଛି, ହେଲେ କୌଣସି କ୍ଷତିପୂରଣ ତାଙ୍କର କ୍ଷତିଭରଣା କରିପାରିବନି। ତେବେ ସାଉଦୀ ଆରବ କ୍ଷତିପୂରଣ ଦେବ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଏହା ବି ପଢ଼ନ୍ତୁ :- ଚର୍ଚ୍ଚ ତଳେ ଥିଲା ୮୦ ଜଣଙ୍କ କଙ୍କାଳ, ତାକୁ ହଟାଇଲେନି ଆଉ ସେଠାରେ ଘର କରି ରହିଲେ, ଏବେ ଘଟୁଛି କ’ଣ...