ନୂଆଦିଲ୍ଲୀ ୧୦/୦୪: ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । କଡ଼ା ସୁରକ୍ଷା ବଳୟରେ ଭାରତରୁ ଆମେରିକାକୁ ଅଣାଯାଇଛି । ରାଣାଙ୍କୁ ଆଣିଥିବା ସ୍ୱତନ୍ତ୍ର ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛି । ଏହି ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇଦିଆଯାଇଛି । ବିମାନବନ୍ଦରରେ SWAT କମାଣ୍ଡୋଙ୍କ ଏକ ଫୋର୍ସ ନିୟୋଜିତ ହୋଇଛି।
ସୂଚନା ଥାଉକି, ତହବୁର ରାଣାର ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର। ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା । ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିଲା । ଭାରତ ପହଞ୍ଚିବା ପରେ ଜରୁରୀ ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ଏନଆଇଏର ହେପାଜତରେ ଆତଙ୍କୀ ତହବୁର ରାଣାକୁ ରଖାଯିବ ।
ଏନଆଇଏ ଅଧିକାରୀ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବା ଉପରେ ମଧ୍ୟ ବିଚାର କରୁଥିବା ଖବର ମିଳିଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।