ନୂଆଦିଲ୍ଲୀ ୭।୬: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଶନିବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟି ଗଭର୍ଣ୍ଣର ଟି. ରବିଶଙ୍କରଙ୍କୁ ଷୋଡ଼ଶ ବିତ୍ତ ଆୟୋଗର ପାର୍ଟ-ଟାଇମ୍ ସଦସ୍ୟ ନିଯୁକ୍ତ କରିଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯେ ଏହି ନିଯୁକ୍ତି ପୂର୍ଣ୍ଣକାଳୀନ ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ ପୂର୍ବତନ ଅର୍ଥ ସଚିବ ଅଜୟ ନାରାୟଣ ଝାଙ୍କ ଇସ୍ତଫା ଯୋଗୁ ହୋଇଛି। ବିତ୍ତ ଆୟୋଗ କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ବାବଦେ ପରାମର୍ଶ ଦେବା ପାଇଁ ଏକ ସାମ୍ବିଧାନିକ ଅନୁଷ୍ଠାନ।
ମନ୍ତ୍ରାଳୟ ଏକ ବୟାନରେ ଆରବିଆଇ ଡେପୁଟି ଗଭର୍ଣ୍ଣରଙ୍କୁ ଏହି ପଦବୀରେ ରାଷ୍ଟ୍ରପତି ନିଯୁକ୍ତ କରିଥିବା ସୂଚିତ କରିଛନ୍ତି। ସେହି ଅନୁସାରେ ଟି.ରବିଶଙ୍କର ଦାୟିତ୍ୱଗ୍ରହଣ କରିବା ଦିନରୁ ଆୟୋଗର ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅଥବା ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଯାହା ଆଗ ପଡିବ ସେ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ନୀତି ଆୟୋଗଙ୍କ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗଢିଆଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗରେ ଏବେ ୪ ଜଣ ସଦସ୍ୟ ଅଛନ୍ତି।
କେନ୍ଦ୍ର ସରକାର ୩୧ ଡିସେମ୍ବର ୨୦୨୩ରେ ପନଗଢିଆଙ୍କ ଅଧ୍ୟକ୍ଷତାରେ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଥିଲେ। ଏହି ପ୍ୟାନେଲ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହୋଇ ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବ। ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କର ହସ୍ତାନ୍ତରଣ ଓ ରାଜସ୍ୱ ବୃଦ୍ଧି ଉପାୟ ସମ୍ପର୍କରେ ପରାମର୍ଶ ଦେବେ। ଏହା ଛଡା ଆୟୋଗ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ୨୦୦୫ରେ ଗଠିତ ପାଣ୍ଠି ସମ୍ପର୍କିତ ବିପର୍ଯ୍ୟୟ ପରିଚାଳନା ଆର୍ଥିକ ସହାୟତା ନିମନ୍ତେ ଏବେକା ବ୍ୟବସ୍ଥାର ସମୀକ୍ଷା କରିବେ।
ଟି.ରବି ଶଙ୍କର କିଏ?
ଟି.ରବି ଶଙ୍କରଙ୍କୁ ୨୦୨୧ରେ ୩ ବର୍ଷ ଅବଧି ନିମନ୍ତେ ଆରବିଆଇ ଡେପୁଟି ଗଭର୍ଣ୍ଣର ରୂପେ ନିଯୁକ୍ତ କରାଯାଇଥିଲା। ଏହା ପରେ ୨୦୨୪ରେ ତାଙ୍କ କାର୍ଯ୍ୟକାଳକୁ ଅଧିକ ଆଉ ଗୋଟିଏ ବର୍ଷ ବଢାଯାଇଥିଲା। ତେବେ ଡେପୁଟି ଗଭର୍ଣ୍ଣର ରୂପେ ପଦୋନ୍ନତୀ ପାଇବା ପୂର୍ବରୁ ସେ ଆରବିଆଇରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ଥିଲେ। ସେ ୧୯୯୦ ମସିହାରେ ଆରବିଆଇ ସେବାରେ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶକ ରୂପେ ସେ ସୂଚନା ପ୍ରଯୁକ୍ତି, ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ପ୍ରଣାଳୀ, ଫିନଟେକ୍ ଓ ରିସ୍କ ମନିଟରିଂ ବିଭାଗର କାମ ଦେଖୁଥିଲେ।