ଘରୋଇ ଆଇଟିଆଇ କଲେଜର କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ରେଳଧାରଣାରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | July 07, 2025 IST

ବଲାଙ୍ଗୀର : ଘରୋଇ ଆଇଟିଆଇ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗୀର ଖଳିଆପାଲି ରେଳ ଷ୍ଟେସନ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ କର୍ମଚାରୀଙ୍କ ନାଁ ଶ୍ରୀନିବାସ ଷଡଙ୍ଗୀ। ସେ ବଲାଙ୍ଗୀର ସହର ନିକଟରେ ଏକ ଘରୋଇ ଆଇଟିଆଇରେ କର୍ମଚାରୀ ଥିଲେ। ତାଙ୍କଘର ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ରାମସିଂଆ ଖଳିଆପାଲି ଗାଁରେ। ତେବେ ଗତକାଲି ରାତି ୩ ଟା ସମୟରେ ଜିଆରପି ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। 

ମୃତ ଶ୍ରୀନିବାସଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି। ସେହି ଅବସ୍ଥାରେ ସେ ରେଳ ଟ୍ରାକରେ ପଡି ରହିଥିଲେ। ପରିବାର ଲୋକେ ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରିଥିଲେ। ଆଜି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ବ୍ୟବଚ୍ଛେଦ କରାଯାଉଛି। 

ତେବେ ଶ୍ରୀନିବାସ ଜଣେ ଭଲ ସ୍ୱଭାବର ମଣିଷ ଥିଲେ। ତାଙ୍କର ନା କାହା ସହ ଶତ୍ରୁତା ଥିଲା  ନା କୌଣସି ଖରାପ ଅଭ୍ୟାସ ଥିଲା। ଆଉ ସେ ସେଭଳି ସାହସୀ ନୁହଁନ୍ତି ଯେ ଟ୍ରେନକୁ ଡେଇଁକି ଆତ୍ମହତ୍ୟା କରିବେ। ଏଭଳି ପରିସ୍ଥିତିରେ ତାଙ୍କୁ ହତ୍ୟା କରି  ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏନେଇ ଘଟଣାର ସତ୍ୟାସତ୍ୟ ବାହାର କରି ମୃତ ଶ୍ରୀନିବାସଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.