ସୂର୍ଯ୍ୟଙ୍କ ବ୍ୟାଟରୁ ପୁଣି ଅର୍ଦ୍ଧଶତକ, ଟପ୍-୨ରେ ରହିବା ପାଇଁ ପଞ୍ଜାବ ଆଗରେ ୧୮୫ ରନ୍ ଟାର୍ଗେଟ୍

Published By : Prameya-News7 Bureau | May 26, 2025 IST

ଜୟପୁର: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ୧୮୫ ରନର ଟାର୍ଗେଟ୍ ଦେଇଛି । ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବା ପରି ମୁମ୍ବାଇ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୮୪ ରନ୍ କରିଛି । ମୁମ୍ୱାଇ ପାଇଁ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ସର୍ବାଧିକ ୫୭ ରନର ଇନିଂସ ଖେଳିଥିଲେ । ସେହିପରି ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, ମାର୍କୋ ଜାନସେନ୍ ଏବଂ ବିଜୟ କୁମାର ବିଶାକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । 

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ IPLର ୬୯ତମ ମ୍ୟାଚ୍ ଖେଳାଯାଉଛି । ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ୱାଇକୁ ଆମନ୍ତ୍ରଣ କରିଥିଲା । ପ୍ଲେଅଫରେ ପହଞ୍ଚିଥିବା ପଞ୍ଜାବ ଏବଂ ମୁମ୍ୱାଇ ପାଇଁ ଏହା ଶେଷ ଲିଗ୍ ମ୍ୟାଚ୍ ଏବଂ ପ୍ରଥମ ଦୁଇରେ ସ୍ଥାନ ରହିବା ପାଇଁ ଉଭୟଙ୍କ ମଧ୍ୟରେ ଲଢେଇ ହେଉଛି । PBKS ଏବଂ MI ମଧ୍ୟରେ ଯିଏ ଜିତିବ ସେ ଶ୍ରେଷ୍ଠ-୨ରେ ସ୍ଥାନ ପକ୍କା କରିବ । ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ଦଳ ଫାଇନାଲରେ ପହଞ୍ଚିବା ପାଇଁ ଅତିରିକ୍ତ ସୁଯୋଗ ପାଆନ୍ତି ।

ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଦଳ ସ୍ଥିର ଆରମ୍ଭ କରିଥିଲା । ପ୍ରଥମ ୱିକେଟ ପାଇଁ ରିଆନ୍ ରିକେଲଟନ ଏବଂ ରୋହିତ ଶର୍ମା ୪୫ ରନ୍ ଯୋଡିଥିଲେ । ରିକଲେଟନ୍ ୨୧ ବଲ୍‌ରେ ପାଞ୍ଚଟି ଚୌକା ସହାୟତାରେ ୨୪ ରନ୍ କରିଥିଲେ । ରୋହିତ ୨୧ ବଲ୍‌ରେ ୨୪ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ତିଲକ ବର୍ମା (୧) କୌଣସି ପ୍ରଭାବ ପକାଇ ପାରିଲେ ନାହିଁ । ୱିଲ୍ ଜ୍ୟାକ୍ସ ୮ ବଲରେ ୧୭ ରନ୍ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲରେ ୨୬ ରନ୍ ଯୋଡ଼ିଥିଲେ । ନମନ ଧୀର ୧୨ଟି ବଲ୍‌ରେ ଦୁଇଟି ଛକା ସହାୟତାରେ ୨୦ ରନ୍ କରିଥିଲେ । ନମନ ଏବଂ ସୂର୍ଯ୍ୟ ଶେଷ ଓଭରରେ ନିଜ ୱିକେଟ ହରାଇଲେ । ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ ଏବଂ ମାର୍କୋ ଜାନସେନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହରପ୍ରୀତ୍ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.