LIVE TV

ଅଷ୍ଟମ ବେତନ ଆୟୋଗ ଅଧ୍ୟକ୍ଷା ରଞ୍ଜନା ପ୍ରକାଶ ଦେସାଇ ଜାଣନ୍ତୁ କିଏ? କରିବେ କର୍ମଚାରୀଙ୍କ ବେତନ ବୃଦ୍ଧି ସୁପାରିସ

NEWS7
supreme-courts-tough-warning-over-delhi-pollution

ନୂଆଦିଲ୍ଲୀ ୨୯।୧୦:  ଦୀର୍ଘ ସମୟ ହେଲା ଅଷ୍ଟମ ବେତନ ଆୟୋଗକୁ ଅପେକ୍ଷା କରିଥିବା କୋଟିକୋଟି ସରକାରୀ କର୍ମଚାରୀଙ୍କୁ ମଙ୍ଗଳବାର ଏକ ଆଶ୍ୱସ୍ତିକର ଖବର ଆସିଥିଲା। କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଗଠନ ନେଇ ଅଧିକାରୀକ ଘୋଷଣା କରିଥିଲେ। ନୂଆ ବେତନ ଆୟୋଗରେ ୩ ଜଣ ଅଭିଜ୍ଞ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। କ୍ୟାବିନେଟ ଦ୍ୱାରା ଗଠିତ ଅଷ୍ଟମ ବେତନ କମିଶନ ଅଧ୍ୟକ୍ଷା ଭାବେ ବିଚାରପତି ଜଷ୍ଟିସ୍ ରଞ୍ଜନା  ପ୍ରକାଶ ଦେସାଇଙ୍କୁ ନିଯୁକ୍ତ କରାଯାଇଛି।

ଏହି ଆୟୋଗରେ ଆଇଆଇଏମ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷ ଓ ମିନିଷ୍ଟ୍ରି ଅଫ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସର ସଚିବ ପଙ୍କଜ ଜୈନଙ୍କୁ ସଦସ୍ୟ ନିଯୁକ୍ତ କରାଯାଇଛି। ସରକାର ଯେତେବେଳେ ମଙ୍ଗଳବାର ରଞ୍ଜନା ଦେସାଇଙ୍କୁ ଆୟୋଗର ଦାୟିତ୍ୱ ଅର୍ପଣ କଲେ ସେତେବେଳଠାରୁ ଲୋକେ ତାଙ୍କ ସମ୍ପର୍କରେ ଜାଣିବାକୁ ବେଶ୍ ଉତ୍ସାହୀ। ତେବେ ଆସନ୍ତୁ ଜାଣିବା ରଞ୍ଜନା ଦେସାଇଙ୍କ ସମ୍ପର୍କରେ ଯିଏ ଅଷ୍ଟମ ବେତନ ଆୟୋଗର ମୁଖିଆ।

ଅଷ୍ଟମ ବେତନ ଆୟୋଗ ଅଧ୍ୟକ୍ଷା ଜଷ୍ଟିସ୍ ରଞ୍ଜନା ପ୍ରସାଦ ଦେସାଇଙ୍କ ଜନ୍ମ ୩୦ ଅକ୍ଟୋବର ୧୯୪୯ରେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ହୋଇଥିଲା। ସେ ସରକାରୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଅଧ୍ୟାୟନ କରିଛନ୍ତି। ୧୯୯୬ ମସିହାରେ ରଞ୍ଜନା ପ୍ରକାଶ ଦେସାଇ ବମ୍ବେ ହାଇକୋର୍ଟର ଜଜ୍ ନିଯୁକ୍ତ ହୋଇଥିଲେ। ଏହା ପରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ଜଜ୍ ରୂପେ ତାଙ୍କ ସେବା ଦେଇଥିଲେ। ରଞ୍ଜନା ପ୍ରକାଶ ଦେସାଇ ଡିଲିମିଟେସନ କମିଶନର ମଧ୍ୟ ନେତୃତ୍ୱ ନେଇଥିଲେ। ତାଙ୍କୁ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ସୁପାରିଶ କମିଟିର ଅଧ୍ୟକ୍ଷା କରାଯାଇଥିଲା।

ରଞ୍ଜନା ପ୍ରକାଶ ଦେସାଇ ସରକାରୀ ଚାକିରୀରୁ ଅବସର ନେବା ପରେ ମଧ୍ୟ ଅନେକ ବଡ଼ବଡ଼ ପଦପଦବୀରେ ଅବସ୍ଥାପିତ ଥିଲେ। ୨୦୧୪-୧୭ ପର୍ଯ୍ୟନ୍ତ ସେ ଆପିଲେଟ୍ ଟ୍ରିବ୍ୟୁନାଲ ଫର ଇଲେକ୍ଟ୍ରିସିଟିର ଚେୟାରପର୍ସନ ଥିଲେ। ୨୦୧୮-୧୯ରେ ଆୟକର ବିଭାଗ ଆଡଭାନ୍ସ ରୁଲିଂ ଅଥରିଟିର ମୁଖ୍ୟ ହୋଇଥିଲେ। ଏହାଛଡା ୨୦୧୯ରେ ଲୋକପାଳ ଚୟନ ନିମନ୍ତେ ସର୍ଚ୍ଚ କମିଟିର ମଧ୍ୟ ସେ ଚେୟାରପର୍ସନ ଥିଲେ। ସେ ଆସାମ ଏନଆରସି କମିଟିର ମଧ୍ୟ ସଦସ୍ୟା ଥିଲେ।

୨୦୨୨ ମସିହାରେ ତାଙ୍କୁ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ପ୍ରଥମ ମହିଳା ଚେୟାରପର୍ସନ ଭାବେ ନିଯୁକ୍ତ କରାଯାଇଥିଲା। ସେହି ବର୍ଷ ସେ ଉତ୍ତରାଖଣ୍ଡ ୟୁସିସି କମିଟିର ମଧ୍ୟ ମୁଖ୍ୟ ନିଯୁକ୍ତ ହୋଇଥିଲେ। ସେ ହିଁ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ଲେଖିଥିଲେ ଓ ୨୦୨୪ରେ ଏହାକୁ ଆଇନରେ ପରିଣତ କରାଇଥିଲେ।