ନୂଆଦିଲ୍ଲୀ: ଏକ ବିରଳ ଘଟଣାରେ ସୁପ୍ରିମକୋର୍ଟ ନିଜେ ନିଜର ରାୟ ବଦଳାଇଛନ୍ତି । ସର୍ବୋଚ୍ଚ ଆଦାଲତ ଜଣେ ୧୨ ବର୍ଷୀୟ ନାବାଳକର ହୃଦୟସ୍ପର୍ଶୀ କାହାଣୀ ଶୁଣିବା ପରେ ତାଙ୍କ କଷ୍ଟଡି ମାଆଙ୍କ ହାତରୁ ଦେଇଛନ୍ତି । ପିଲାଟି ନିଜ ମାଆ-ବାପାଙ୍କ ଝଗଡ଼ାରେ ପେସି ହୋଇ ମାନସିକ ଓ ଭାବନାତ୍ମକ ରୂପେ ଭାଙ୍ଗି ପଡ଼ିଥିଲା । ତାର ମନରେ ଭୟ ଘର କରିସାରିଥିଲା । ପିଲାଟିର ଅବସ୍ଥା ଦେଖି ସର୍ବୋଚ୍ଚ ଅଦାଲତରେ ବସିଥିବା ନ୍ୟାୟମୂର୍ତ୍ତୀଙ୍କ ମନ ମଧ୍ୟ ଆନ୍ଦୋଳିତ ହୋଇଥିଲା । କୋର୍ଟ ନିଜର ଦଶ ମାସ ପୁରୁଣା ଆଦେଶକୁ ପରିବର୍ତ୍ତନ କରି ପିଲାଟିର ହେପାଜତ ମା'ଙ୍କୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାରେ, ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଯେ ସେ ବାପାଙ୍କୁ ପିଲାଟିର ହେପାଜତ ଦେଇ ଭୁଲ କରିଥିଲେ ।
ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ପ୍ରସନ୍ନା ବି ବରାଲେଙ୍କ ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ସ୍ୱୀକାର କରିଛନ୍ତି ଯେ ସୁପ୍ରିମକୋର୍ଟ ଓ କେରଳ ହାଇକୋର୍ଟ ପୁଅର କଷ୍ଟଡି ବାପାଙ୍କୁ ଦେଇଥିଲେ । ଏହି କାରଣରୁ ପିଲାଟିର ମାନସିକ ଓ ଭାବନାତ୍ମକ ସ୍ଥିତି ଖରାପ ହୋଇଛି । ଅନ୍ୟପଟେ କୋର୍ଟ ପିଲାର ମନ ପଢିବା ପରିବର୍ତ୍ତେ ଦମ୍ପତିଙ୍କ ଓକିଲଙ୍କ ଯୁକ୍ତି ଉପରେ ରାୟ ଦେଇଥିଲେ । ପିଲାଟି କୋର୍ଟଙ୍କ ଆଦେଶ କାରଣରୁ ବେଲ୍ଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜର ସାଇକୋଥେରାପି ବିଭାଗରେ ଚିକିତ୍ସିତ ହେଉଛି । ନିଜ ଭୁଲକୁ ଅନୁଭବ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପିଲାଟି ଏବେ ନିଜ ମାଆ ସହ ରହିବେ । ସେପଟେ ପିଲାଟିର ମାଆ କିନ୍ତୁ ଏବେ ଦ୍ୱିତୀୟ ବିବାହ କରିସାରିଛନ୍ତି । ତେବେ ବାପା ପାଖରେ ପିଲାକୁ ଭେଟିବାର ଅଧିକାର ରହିଛି ।
ଏହି ମାମଲା ଏପରି ବିବାଦୀୟ ଓ ଭାବନାତ୍ମକ ମାମଲାରେ ନ୍ୟାୟିକ କାର୍ଯ୍ୟରେ ତ୍ରୁଟିକୁ ସାମନାକୁ ଆଣିଛି । ଯେଉଁଥିରେ ଝଗଡ଼ା କରୁଥିବା ବାପା-ମାଆଙ୍କ ଯୁକ୍ତି ଶୁଣି ରାୟ ଦିଆଯାଇଥାଏ । ପିଲା ସହ କଥା ନହୋଇ ଏହି ନିଷ୍ପତ୍ତି ଦିଆଯାଇଥିଲା । ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟିକ ଆଦେଶ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଛି । ପିଲାଟିର ମାଆ ଦ୍ୱିତୀୟ ବିବାହ କରିସାରିଥିବା ଜାଣି ମଧ୍ୟ କୋର୍ଟ ପିଲାଟିର କଷ୍ଟଡି ମାଆଙ୍କୁ ହିଁ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ୨୦୧ରେ ବିବାହର ଦୁଇ ବର୍ଷ ପରେ ହିଁ ଦମ୍ପତିଙ୍କ ଛାଡ଼ପତ୍ର ହୋଇଥିଲା ।
ଛାଡ଼ପତ୍ରର ଚାରି ବର୍ଷ ପରେ ମାଆ ପୁଣି ଥରେ ବିବାହ କରିଥିଲେ । ୨୦୨୨ରେ ପିଲାର କଷ୍ଟଡି ପାଇଁ ବାପା ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେରଳ ହାଇକୋର୍ଟ ଓ ଗତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟରେ ବି ତାଙ୍କ ଏହି ଆବେଦନକୁ ସ୍ୱୀକାର କରିଥିଲେ । କୋର୍ଟଙ୍କ ଆଦେଶ ପରେ ପିଲାଟି ମାନସିକ ରୂପେ ଭାଙ୍ଗି ପଡ଼ିଥିଲା । ଏହା ଦେଖି ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଏହାସହ କୋର୍ଟଙ୍କ ସାମନାରେ ମେଡିକାଲ୍ ରିପୋର୍ଟ ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟ ସ୍ୱୀକାର କରିଥିଲେ ଯେ କଷ୍ଟଡି ବଦଳିବା ପରେ ହିଁ ପିଲାର ସ୍ୱାସ୍ଥ୍ୟ ଖରାପ ହୋଇଛି । ପିଲାଟି ମାଆ ପାଖରେ ହିଁ ସୁରକ୍ଷିତ ରହିବ କହି ସୁପ୍ରିମକୋର୍ଟ ନିଜ ରାୟ ବଦଳାଇଛନ୍ତି ।