ନୂଆଦିଲ୍ଲୀ ୨୯।୫: ସୁପ୍ରିମକୋର୍ଟ ଗୁରୁବାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା ଶୁଣାଣିରେ ବ୍ରିଟିଶ ନାଗରିକ ତଥା ହେଲିକପ୍ଟର କ୍ରୟ ଅନିୟମିତତା ଅଭିଯୁକ୍ତ କ୍ରିଷ୍ଟିୟାନ ମିସେଲ ଜେମସ୍ ଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି। କ୍ରିଷ୍ଟିୟାନ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିପକ୍ଷରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦେଇ ପାରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟ କ୍ରିଷ୍ଟିୟାନ ମିସେଲଙ୍କୁ ଜାମିନରେ ମୁକୁଳିବାକୁ ଆଦେଶ ଦେଇଛନ୍ତି। ତେବେ ଜାମିନରେ ମୁକୁଳିବା ପରେ ଯେଉଁଠି ସେ ରହିବେ ତାଙ୍କୁ ଭାରତରେ ନିବାସ ସ୍ଥାନର ସୂଚନା ଦେବା ପାଇଁ ସର୍ତ୍ତ ରଖିଛନ୍ତି। ଏଣୁ କ୍ରିଷ୍ଟିୟାନ ମିସେଲ ଏହି ସର୍ତ୍ତ କୋହଳ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏଥିରେ କୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ପାରିବେନି ବୋଲି ସ୍ପଷ୍ଟ ରୂପେ କହିଛନ୍ତି।
ଶୁଣାଣି କାଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତର୍କ ଦିଆଯାଇଥିଲା ଯେ ହାଇକୋର୍ଟଙ୍କ ଆଦେଶ ତାଙ୍କ ପକ୍ଷରେ ରହିଛି ଓ ସ୍ଥାନୀୟ ଜାମିନଦାର ସର୍ତ୍ତ ମଧ୍ୟ କୋହଳ କରାଯାଇଛି। ଏହି ଜାମିନ ବଦଳେ ତାଙ୍କୁ ନଗଦ ଜମା ଦେବାକୁ କୁହାଯାଇଛି। ଏହା ପରେ କେଉଁ ସ୍ଥିତି ଆପଣଙ୍କୁ ସମସ୍ୟାରେ ପକାଉଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଜବାବରେ ତାଙ୍କ ଓକିଲ କୋର୍ଟଙ୍କ ସର୍ତ୍ତ ମାଧ୍ୟମରେ ପୂରା ପ୍ରକରଣ ବୁଝାଇ ଦେଇଥିଲେ। ତେବେ କୋର୍ଟ ଏହି ସବୁ ସର୍ତ୍ତ ସୁନିଶ୍ଚିତ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।
ଯଦି ତୁମର ସ୍ଥାୟୀ ଠିକଣା ଏବେ ତିହାର ଜେଲ ତେବେ ଆପଣ ସେହିଠାରେ ହିଁ ଅବସ୍ଥାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ଆପଣଙ୍କୁ ଜାମିନ ଦେଇସାରିଛୁ। ଆପଣ ସର୍ତ୍ତ ପୂରଣ କରିବାକୁ ଆଗ୍ରହୀ ନୁହନ୍ତି ଯଦି ପରିବାର ଆପଣଙ୍କ ଲାଗି କୋର୍ଟରେ ମକଦ୍ଦମା ଚଳାଇ ପାରୁଛି ତେବେ ଏହା ବି ପୂରଣ କରିପାରିବ। ହେଲେ ଆପଣ ସର୍ତ୍ତ ପୂରଣ କରିବାକୁ ଚାହୁଁନାହାନ୍ତି କାହିଁକି ବୋଲି କୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ଦିଲ୍ଲୀ ହାଇକୋର୍ଟ ତାଙ୍କୁ ବ୍ୟାକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଏହା ଛଡା ତାଙ୍କୁ ତତ୍କାଳ ପାସପୋର୍ଟ ଜମା କରିବାରେ ମଧ୍ୟ ରିହାତି ଦେଇଛନ୍ତି। କାରଣ ତାଙ୍କ ପାସପୋର୍ଟର ଅବଧି ଶେଷ ହୋଇ ସାରିଛି। ଏହା ସହିତ କୋର୍ଟ କ୍ରିଷ୍ଟିୟାନ ମିସେଲଙ୍କୁ ସେହି ଠିକଣାର ସୂଚନା ଦେବାକୁ କହିଛନ୍ତି ଜାମିନରେ ମୁକୁଳିବା ପରେ ସେ ଯେଉଁଠି ରହିବେ। କାରଣ ତାଙ୍କ ମୁକ୍ତି ପୂର୍ବରୁ କୋର୍ଟ ତାଙ୍କ ରହିବା ଠିକଣାର ଯାଞ୍ଚ କରିବେ ବୋଲି କହିଥିଲେ।