SIR ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ଜାଣନ୍ତୁ ନିର୍ବାଚନ ଆୟୋଗଙ୍କୁ କହିଲେ କ’ଣ?

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ ୨୮।୭: ବିହାରରେ ଚାଲିଥିବା ଭୋଟର ଲିଷ୍ଟର ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ଏବେ ବିବାଦ ଜଟିଳ ହେବାରେ ଲାଗିଛି। ଏହି ମାମଲାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଅବସରରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ବିହାରରେ ଚାଲିଥିବା ଏସଆଇଆର କାଳରେ ଭୋଟରଙ୍କ ପରିଚୟ ପ୍ରମାଣିତ କରିବା ପାଇଁ ଆଧାର ଓ ଭୋଟର ଫଟୋ ପରିଚୟପତ୍ରକୁ ଗ୍ରହଣୀୟ ଡକ୍ୟୁମେଣ୍ଟରେ ସାମିଲ କରିବାକୁ ବିଚାର କରନ୍ତୁ ବୋଲି ପୁଣିଥରେ କହିଛନ୍ତି।  

ସୁ୍ପ୍ରିମକୋର୍ଟ ମାମଲାର ପକ୍ଷମାନଙ୍କୁ ବିତର୍କ ନିମନ୍ତେ କେତେ ସମୟ ନେବେ ସେ ନେଇ ମଙ୍ଗଳବାର ସୁଦ୍ଧା ଜଣାଇବାକୁ କହିଛନ୍ତି। ଆସନ୍ତା କାଲିର ଶୁଣାଣି କାଳରେ ମାମଲାର ପରବର୍ତ୍ତି ଶୁଣାଣିର ତାରିଖ ସ ସମ୍ପର୍କରେ ସୂଚିତ କରାଯିବ ବୋଲି  କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ଏହି ମାମଲାରେ ସୋମବାର ବିସ୍ତୃତ ଶୁଣାଣି କରି ନାହାନ୍ତି। 

ତେବେ ଏହି ଶୁଣାଣି କାଳରେ ବିହାରରେ ଏସଆଇଆର ଉପରେ ରୋକ ଲଗାଯାଇ ପାରିବନି ବୋଲି କୋର୍ଟ ସଫାସଫା କହିଛନ୍ତି। ତେବେ ବିହାରରେ ବିଧାନସଭା ପାଖେଇ ଆସୁଥିବା ବେଳେ ମାମଲା କୋର୍ଟକୁ ପହଞ୍ଚିଥିବାରୁ ଏହା ଉପରେ ତ୍ୱରିତ ଶୁଣାଣି ହେବ ବୋଲି କୋର୍ଟ ପକ୍ଷମାନଙ୍କୁ ଆଶ୍ୱାସନ ଦେଇଛନ୍ତି। 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.