ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଗିରଫଦାରୀ ଏବଂ ସମ୍ପତ୍ତି ଜବତ କରିବା କ୍ଷମତା ଉପରେ ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି ସୁପ୍ରିମକୋର୍ଟ। ୨୦୨୨ରେ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ବେଞ୍ଚ୍ ଗଠନ ହୋଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଏବଂ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆସନ୍ତା ମେ ୭ ତାରିଖରେ ମାମଲାର ଶୁଣାଣି କରିବେ। ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଭୂୟାଁ ଏବଂ ଜଷ୍ଟିସ ସିଟି ରବିକୁମାର ମାମଲାର ଶୁଣାଣି କରୁଥିଲେ, କିନ୍ତୁ ଜଷ୍ଟିସ ରବିକୁମାର ଜାନୁଆରୀ ୫ ତାରିଖରେ ଅବସର ନେଇଥିଲେ।
ମାର୍ଚ୍ଚ ୬ ତାରିଖରେ ମାମଲାଟି ଭୁଲବଶତଃ ଦୁଇ ଜଣ ବିଚାରପତିଙ୍କ ଖଣ୍ଡପୀଠ ସମ୍ମୁଖରେ ଆସିଥିଲା। ସେହି ସମୟରେ ଖୁବ୍ ଶୀଘ୍ର ତିନି ଜଣ ବିଚାରପତିଙ୍କ ଏକ ନୂତନ ଖଣ୍ଡପୀଠ ମାମଲାର ଶୁଣାଣି କରିବେ କୁହାଯାଇଥିଲା। ପ୍ରକାଶଥାଉକି ଜୁଲାଇ ୨୦୨୨ରେ ମନି ଲଣ୍ଡରିଂ ମାମଲାରେ ଗିରଫ, ସମ୍ପତ୍ତି ଆଟାଚ୍, ତଲାସି ଏବଂ ଜବତ କରିବା ପାଇଁ EDର କ୍ଷମତାକୁ ସମର୍ଥନ କରିଥିଲେ ସୁପ୍ରିମକୋର୍ଟ।
କିନ୍ତୁ ଅଗଷ୍ଟ 2022ରେ, କୋର୍ଟ ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି କରିବାକୁ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଥିଲେ ଯେ ଦୁଇଟି ପ୍ରମୁଖ ପ୍ରସଙ୍ଗ - ଇଡି ଅଭିଯୋଗ ରିପୋର୍ଟ (ECIR) ଦାଖଲ ନ କରିବା ଏବଂ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଧରି ନେବା ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ।
ସେତେବେଳେ କୋର୍ଟ କହିଥିଲେ ଯେ ମନି ଲଣ୍ଡରିଂ ସାରା ବିଶ୍ୱର ଆର୍ଥିକ ବ୍ୟବସ୍ଥା ପାଇଁ ଏକ ବିପଦ ଏବଂ ଏହାକୁ ଏକ ସାଧାରଣ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ED ଅଧିକାରୀମାନଙ୍କୁ ପୋଲିସ ଅଧିକାରୀ ଭାବରେ ବିବେଚନା କରାଯାଏ ନାହିଁ। ECIRକୁ FIR ସମାନ ବୋଲି ବିବେଚନା କରାଯାଇପାରିବ ନାହିଁ।
ଏହି ନିଷ୍ପତ୍ତିରେ କୁହାଯାଇଥିଲା ଯେ ପ୍ରତ୍ୟେକ ମାମଲାରେ ଅଭିଯୁକ୍ତଙ୍କୁ ECIRର ଏକ କପି ଦେବା ଆବଶ୍ୟକ ନୁହେଁ। ଗିରଫ ସମୟରେ, ED ଗିରଫର କାରଣ ଦର୍ଶାଇବା ଯଥେଷ୍ଟ। ଏହି ନିଷ୍ପତ୍ତି ୨୦୦ ରୁ ଅଧିକ ଆବେଦନ ଉପରେ ଆସିଛି ଯେଉଁଥିରେ ମନି ଲଣ୍ଡରିଂ ଆଇନ (PMLA)ର ଅନେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ। ବିରୋଧୀମାନେ ମଧ୍ୟ ଏହି ଆଇନକୁ ସରକାର ତାଙ୍କ ବିରୋଧୀମାନଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଥିବା ଏକ ଅସ୍ତ୍ର ଭାବରେ କହିଥିଲେ। ଏବେ ଦେଖିବାକୁ ବାକି ରହିଲା ଯେ ନୂତନ ଖଣ୍ଡପୀଠ ଏହି ନିଷ୍ପତ୍ତି ଉପରେ କଣ ଟିପ୍ପଣୀ ଦେଉଛନ୍ତି।