LIVE TV

IMS ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌ର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ଓରିଏଂଟେସନ୍‌ କାର୍ଯ୍ୟକ୍ରମ ଏବଂ ହ୍ୱାଇଟ୍‌ କୋଟ ଉତ୍ସବ ଆୟୋଜିତ

NEWS7
suprem-court-said-union-govt-to-advice-ministers-not-to-talk-on-collegium

ଭୁବନେଶ୍ୱର:  ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁକ୍ରବାର ଓରିଏଂଟେସନ୍‌ କମ୍‌ ଫାଉଣ୍ଡେସନ୍‌ କୋର୍ସ ପ୍ରୋଗ୍ରାମ ଏବଂ ହ୍ୱାଇଟ୍‌ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍‌ ହସ୍ପିଟାଲ-୧ରେ ଏମ୍‌ବିବିଏସ୍‌ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ହ୍ୱାଇଟ୍‌ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ ।

ଓରିଏଂଟେସନ୍‌ କମ୍‌ ଫାଉଣ୍ଡେସନ୍‌ କୋର୍ସ ପ୍ରୋଗ୍ରାମ୍‌ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନ୍‌ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ରାଙ୍କିଂସ ୨୦୨୫ରେ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବା ବେଳେ ଆଇଏମଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଦେଶର ୨୧ତମ ଶ୍ରେଷ୍ଠ ମେଡିକାଲ୍‌ କଲେଜ ଭାବେ ସ୍ଥାନୀତ ହୋଇଛି । ଏଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ସହ ଉତମ ଡାକ୍ତର ହେବା ପାଇଁ  ବାର୍ତ୍ତା ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ବୃତ୍ତିକୁ କେବଳ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖି ଏହା ଅଧ୍ୟୟନ କରିବା ଉଚିତ୍‌ ବୋଲି କହିଥିଲେ । ଆଧ୍ୟାତ୍ମିକ ଚିନ୍ତନ ଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ । କଠିନ ପରିଶ୍ରମ, ସମୟାନୁବର୍ତିତା ଓ ସକାରାତ୍ମକ ଚିନ୍ତାଧାରା ଆଦି ଗୁଣସବୁ ଛାତ୍ରଛାତ୍ରୀଙ୍କ ଠାରେ ରହିବା ଉଚିତ୍‌ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଶିକ୍ଷାନୁଷ୍ଠାନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଡାକ୍ତରୀ ଶିକ୍ଷାର ମହତ୍ୱ ବିଷୟରେ ମଧ୍ୟ ସେ ବୁଝାଇଥିଲେ। ସେହିପରି ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସର୍ବଦା ସେବା ମନୋଭାବ ନେଇ ରୋଗୀଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଫାଉଣ୍ଡେସନ୍‌ କୋର୍ସ କୋଅର୍ଡିନେଟର ତଥା ଫିଜିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଏଲୋରା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ହ୍ୱାଇଟ କୋଟ୍‌ ଉତ୍ସବରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ ।  ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସ୍ୱାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍‌ ବୋଲି ମତ ରଖି ସେ କହିଥିଲେ ଯେ ଏହି ହ୍ୱାଇଟ କୋଟ୍‌  ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା । ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ  ।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା କେବଳ ଏକ କୋଟ ନୁହେଁ ବରଂ ପ୍ରତି ଡାକ୍ତରର ପ୍ରଥମ ପରିଚୟ ଅଟେ ବୋଲି କହିଥିଲେ । ଏହାକୁ ପିନ୍ଧି ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଅବସରରେ ହସ୍ପିଟାଲର ସମସ୍ତ ବିଭାଗୀୟ ମୁଖ୍ୟ, ସିନିୟର ଫ୍ୟାକଲ୍ଟି, ଆଡିସ୍‌ନାଲ୍‌ ଡିନ୍‌, ଡାକ୍ତର, ନର୍ସ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।