ଭୁବନେଶ୍ବର ୨୨।୬: ଆମେରିକାର ମାର୍ଗଦର୍ଶିକା ନେଇ ବର୍ଷିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଆମେରିକାରେ କ’ଣ କିଛି ବିଶୃଙ୍ଖଳା ହେଉନି । ସେଠି ପରା ଦଙ୍ଗା ହେଉଛି । ଆମେରିକାରେ ଗୁଳିକାଣ୍ଡ ଘଟୁଛି । ଟ୍ରମ୍ପ୍ଙ୍କ ଉପରେ କ’ଣ ଆକ୍ରମଣ ହୋଇନି । ନା ହ୍ବାଇଟ୍ ହାଉସ ଉପରେ ଆକ୍ରମଣ ହୋଇନି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ପରିବେଶ ପୃଥିବୀରେ ମିଳିବନି । କାଁ ଭାଁ ସମସ୍ୟା ଲାଗି ରହିବ । ଆମେ ତାକୁ ଦୃଢ଼ ହସ୍ତରେ ଦମନ କରୁଛୁ । ଅପରାଧିକ କାର୍ଯ୍ୟକଳାପକୁ ଆମ ସରକାର ଆଦୌ ବରଦାସ୍ତ କରୁନାହିଁ । କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଓଡ଼ିଶାରେ ଆମେ ସମସ୍ତେ ଶାନ୍ତିରେ ଅଛୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ସେପଟେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଏହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ଆମେରିକାର ଚେତାବନୀ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପ୍ରଭାବ ପଡିବ । ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡି ଯାଇଛି । ପୂର୍ବରୁ ବିଜେଡି ମଧ୍ୟ ଏହା କହିଆସୁଛି । ମହିଳାଙ୍କୁ ସୁରକ୍ଷା ଦେବାକୁ ସରକାର ଚିନ୍ତା କରିବା ଉଚିତ । ଆଗାମୀ ଦିନରେ ବିଜେଡି ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିବ । ଆଗାମୀ ଦିନରେ କୌଣସି ମନ୍ତ୍ରୀ ମାନଙ୍କୁ ଗାଁକୁ ଗଲେ ବିରୋଧ କରାଯିବ ବୋଲି ସେ କହିଛନ୍ତି ।
ସେହିଭଳି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଓଡ଼ିଶା ଲୋକଙ୍କୁ ଅଧିକ ଭଲ ପାଉଥିବା ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ।ଡୋନାଲ୍ଡ ଟ୍ରମ୍ପ୍ ମୋଦୀଙ୍କ ବଡ଼ ଭାଇ ଭଳି କାମ କରୁଥିବା ମୋଦୀ ଜଣାଇବାକୁ ଚାହୁଁଛନ୍ତି । ଦୁହିଁଙ୍କ ଭିତରେ ଘନିଷ୍ଠତା ରହିଥିବା କଥା କହୁଛନ୍ତି । ଯେଉଁ କଥା ବିରୋଧୀ ଦଳ କହୁଥିବା କଥା ବିଜେପି କହୁଥିଲା ଆଜି ତାକୁ ଆମେରିକା କହୁଛି । ଦୁଷ୍କର୍ମ ବଢିବା କଥା ଯଦି ଆମେରିକା କହୁଛି ତାକୁ ନିଶ୍ଚୟ ଭାବରେ ମୋଦୀ ଗ୍ରହଣ କରିବା ଆମେରିକା ଭାରତର ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି ବୋଲି ଜୟଦେବ ଜେନା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରି କରିଛି । ଆମେରିକୀୟ ମାନଙ୍କୁ ଭାରତ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଜୁନ୍ ୧୬ ତାରିଖରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେତେକ ଅଞ୍ଚଳରେ ଅଧିକ ବିପଦ ଥିବା ଏଥିରେ ଦର୍ଶାଯାଇଛି । ଆତଙ୍କବାଦୀ ମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି । ତେଣୁ ଆମେରିକୀୟମାନେ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ଆମେରିକୀୟ ମହିଳାମାନଙ୍କୁ ଏକୁଟିଆ ଯାତ୍ରା ନକରିବା ପାଇଁ ସତର୍କ କରାଇ ଦିଆଯାଇଛି । ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ସୀମା, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କିଛି ଅଂଶକୁ ଭ୍ରମଣ ବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବିନା ଅନୁମତିରେ ଯାତ୍ରା ନକରିବାକୁ କୁହାଯାଇଛି ।
You Can Read:
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ, ଦୁଇ ଦିନ ପାଇଁ ଅବଜରଭେସନରେ ରହିବେ