ହାଇଦ୍ରାବାଦ: ସନ୍ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ରେ ବର୍ଷା ସାଜିଲା ବାଧକ । ଓଦା ଆଉଟ୍ ଫିଲ୍ଡ ପାଇଁ ମ୍ୟାଚକୁ ବାତିଲ୍ କରାଯାଇଛି । ଫଳରେ ଉଭୟ ଟିମ୍ ମଧ୍ୟରେ ପଏଣ୍ଟ ଭାଗ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ ୧୩ ପଏଣ୍ଟ ସହ ୫ନଂ ସ୍ଥାନରେ ରହିଛି । ଅନ୍ୟପଟେ ହାଇଦ୍ରାବାଦ ଦଳ ୭ ପଏଣ୍ଟ ପାଇ ଆଇପିଏଲ୍-୨୦୨୫ ସଂସ୍କରଣ ପ୍ଲେ-ଅଫରୁ ବାଦ୍ ପଡ଼ିଛି । ଏସଆରଏଚ ଏପର୍ଯ୍ୟନ୍ତ ମୋଟ୍ ୧୧ଟି ମ୍ୟାଚ୍ ଖେଳି ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ହାଇଦ୍ରାବାଦକୁ ୧୩୪ ରନ୍ର ଟାର୍ଗେଟ୍ ଦେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ପାଟ୍ କମିନ୍ସ ଘାତକ ବୋଲିଂ କରି ଦିଲ୍ଲୀର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଇନିଂସର ପ୍ରଥମ ବଲ୍ରେ କରୁଣ ନାୟର ଆଉଟ୍ ହୋଇଥିଲେ। ଫାଫ ଡୁ ପ୍ଲେସିସ(୩), ଅଭିଷେକ ପୋରେଲ(୮), ଅଧିନାୟକ ଅକ୍ଷର ପଟେଲ୍(୬) ଓ କେଏଲ ରାହୁଲ(୧୦) ପାଭିଲିୟନ ଫେରିଥିଲେ। ୨୯ ରନରେ ୫ ଓ୍ଵିକେଟ୍ ହରାଇ ଦୟନୀୟ ସ୍ଥିତିରେ ଥିଲା ଦିଲ୍ଲୀ। ଷଷ୍ଠ ଓ୍ଵିକେଟ୍ରେ ଟ୍ରିଷ୍ଟନ ଷ୍ଟବ୍ସ ଓ ବିପ୍ରଜ ନିଗମ ଷଷ୍ଠ ଓ୍ଵିକେଟ୍ରେ ୩୩ ରନ ଯୋଡ଼ି ସ୍ଥିତି ସାମାନ୍ୟ ସୁଧାର କରିଥିଲେ। ବିପ୍ରଜ ନିଗମ ୧୮ ରନ କରି ଆଉଟ୍ ହୋଇଥିଲେ।ତେବେ ଦିଲ୍ଲୀର ସମ୍ମାନ ରଖିଥିଲେ ଷ୍ଟବ୍ସ ଓ ଆଶୁତୋଷ ଶର୍ମା। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଆଶୁତୋଷ ଦ୍ରୁତ ବ୍ୟାଟିଂ କରି ୨୬ ବଲ୍ରୁ ୪୧ ରନ କରିଥିଲେ। ଦୁଇ ବ୍ୟାଟର ୬୬ ରନ ଯୋଡ଼ି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଷ୍ଟବ୍ସ ୩୬ ବଲରୁ ୪୧ ରନ କରି ଅପରାଜିତ ଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଥିଲା। ବୋଲିଂରେ ପାଟ୍ କମିନ୍ସ ୪ ଓଭରରେ ୧୯ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଥିଲେ।