ପୁଣି ସେହି ଶିବରାତ୍ରୀ, ଭାରତ ବନାମ ପାକ୍ ମୁକାବିଲା; ଇତିହାସର ହେବ ପୁନରାବୃତ୍ତି !

NEWS7
sunita-williams-space-station-is-now-circling-the-skies-of-shimla

କଲୋମ୍ବୋ: ୨୦୦୩ ମସିହା ମାର୍ଚ୍ଚ ୧ ତାରିଖ। ସେଦିନ ଥିଲା ମହାଶିବରାତ୍ରି। ଗୋଟିଏ ପଟେ ଭାରତ ଶିବ ଭକ୍ତିରେ ଲୀନ ଥିବା ବେଳେ ଅନ୍ୟପଟେ ସଭିଙ୍କ ନଜର ଥିଲା ଦକ୍ଷିଣ ଆଫ୍ରିକାର ସୁପର୍ ସ୍ପୋର୍ଟ୍ସ୍ ପାର୍କ୍, ସେଞ୍ଚୁରିଅନରେ। ଏହି ଗ୍ରାଉଣ୍ଡରେ ଖେଳା ଯାଉଥିଲା ଦିନିକିଆ କ୍ରିକେଟ୍ ବିଶ୍ବକପର ମହାମୁକାବିଲା। ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଶିବଙ୍କ ପାଇଁ ଜାଗର ଜାଳି ହାଇଭୋଲଟେଜ୍ ମୁକାବିଲାର ପ୍ରତିଟି କ୍ଷଣକୁ ଉପଭୋଗ କରୁଥିଲେ କ୍ରିକେଟ୍ ପ୍ରେମୀ। ଯୁଦ୍ଧର ମଇଦାନରେ ସର୍ବଦା ମାତ୍ ଦେଇ ଆସିଥିବା ଭାରତ ବିଶ୍ଵକପର ଉକ୍ତ ମ୍ୟାଚରେ ପାକିସ୍ତାନକୁ ହରାଇଥିଲା। ସଚିନ ତେନ୍ଦୁଲକରଙ୍କ ପ୍ରହାରରେ ମାଟି କାମୁଡିଥିଲା ପାକିସ୍ତାନ। ଆଉ ଆଜି ୨୦୨୬ ଫେବୃଆରୀ ୧୫ ତାରିଖ। ୨୦୦୩ ମାର୍ଚ୍ଚ ୧ ତାରିଖ ସ୍ମୃତିକୁ ପୁଣି ତାଜା କରି ଦେଇଛି।

ପୁଣି ସେହି ଶିବରାତ୍ରୀ, ଭାରତ ବନାମ ପାକ୍ ମୁକାବିଲା। ୨୦୨୬ ଟି-୨୦ ବିଶ୍ଵକପର କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍। ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ମହାସମର ପାଇଁ ଦୁଇ ଦଳ ପ୍ରସ୍ତୁତ। ୨୦୦୩ ମସିହାର ଶିବରାତ୍ରୀ ଦିନ ଭାରତ ଦିନିକିଆ ବିଶ୍ଵକପରେ ପାକିସ୍ତାନକୁ ହରାଇଥିଲା। ଆଉ ଆଜି ପୁଣି ଥରେ ଏହାର ପୁନରାବୃତ୍ତି ହେବ ବୋଲି ଭାରତୀୟ କ୍ରିକେଟ୍ ପ୍ରେମୀ ବେଶ ଆଶାବାଦୀ। ୨୦୦୩ ଶିବରାତ୍ରୀ ଦିନ ସଚିନ ତେନ୍ଦୁଲକରଙ୍କ ଧୂଆଁଧାର ବ୍ୟାଟିଂରେ ଧରାଶାୟୀ ହୋଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ଓ୍ଵିକେଟ୍ ହରାଇ କରିଥିଲା ୨୭୩ ରନ। ପାକିସ୍ତାନ ପକ୍ଷରୁ ୧୦୧ ରନର ଶତକୀୟ ଇନିଂସ ଖେଳିଥିଲେ ସଇଦ ଅନଓ୍ବର। ଜବାବରେ ଭାରତ ମ୍ୟାଚକୁ ୬ ଓ୍ଵିକେଟରେ ସହଜରେ ଜିତି ନେଇଥିଲା। ସଚିନ ତେନ୍ଦୁଲକର ୭୫ ବଲରୁ ୯୮ ରନର ଦମଦାର ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯୁବରାଜ ସିଂ ୫୦ ରନର ଅପରାଜିତ ଇନିଂସ ଖେଳିଥିଲେ।

ଏବେ ଭାରତୀୟ କ୍ରିକେଟ୍ ୨୦୦୩ ମାର୍ଚ୍ଚ ୧ ତାରିଖ ମ୍ୟାଚନର ପୁନରାବୃତ୍ତି ଚାହୁଁଛନ୍ତି। ସେଦିନ ଯେମିତି ଭାରତ ପାକିସ୍ତାନକୁ ମାତ୍ ଦେଇଥିଲା, ଠିକ୍ ସେମିତି ରବିବାର ମହାଶିବ ରାତ୍ରିରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ପରାସ୍ତ କରୁ। ସେଥିପାଇଁ ପ୍ରସ୍ତୁତ ସୂର୍ଯ୍ୟ ବାହିନୀଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ। ଚଳିତ ଟି-୨୦ ବିଶ୍ଵକପର ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିଛନ୍ତି ଭାରତ ଓ ପାକିସ୍ତାନ। ଦୁଇ ଦଳ ଉଚ୍ଚ ମନୋବଳ ସହ ମଇଦାନକୁ ଓହ୍ଲାଇବେ। ପାକିସ୍ତାନର ସ୍ପିନ ବୋଲିଂ ଏବଂ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଆଜି ଦେଖିବାକୁ ମିଳିବ ରୋଚକ ମୁକାବିଲା। ମ୍ୟାଚରେ ସଭିଙ୍କ ନଜର ପାକିସ୍ତାନର ରହସ୍ୟମୟ ସ୍ପିନ ବୋଲର ଉସ୍ମାନ ତାରିକଙ୍କ ଉପରେ ରହିଛି। ଭାରତୀୟ ବ୍ୟାଟର ତାଙ୍କର ମୁକାବିଲା କେମିତି କରିବେ ତାକୁ ଦେଖିବା ପାଇଁ ଚାହିଁ ରହିଛନ୍ତି କ୍ରିକେଟ୍ ପ୍ରେମୀ। ବିଶେଷ କରି ଟପ୍ ଅର୍ଡରରେ ଅଭିଷେକ ଶର୍ମା ଓ ନିମ୍ନ କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କଠୁ ଦଳ ଦମଦାର ଇନିଂସ ଆଶା ରଖିଛି। ଦେଖିବାକୁ ବାକି ରହିଲା ଭାରତ ୨୦୦୩ ଶିବରାତ୍ରୀର ପୁନରାବୃତ୍ତି କରୁଛି କି ନାହିଁ।