ଟିମ୍ ଇଣ୍ଡିଆ ପାଇଁ ଭିଲେନ୍ ‘ରବିବାର’, ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଖେଳ ପ୍ରେମୀଙ୍କ ମନରେ ଭୟ

Published By : Prameya-News7 Bureau | March 08, 2025 IST

ନୂଆଦିଲ୍ଲୀ: ବର୍ମିଂହାମ୍ ଗ୍ରାଉଣ୍ଡରେ ପ୍ରାୟ ୮ ବର୍ଷ ପୂର୍ବେ ପାକିସ୍ତାନ ବିପକ୍ଷରେ ଭାରତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିଲା । ସେତେବେଳେ ଟିମ୍ ଇଣ୍ଡିଆ ଟାଇଟଲ୍ ପାଇଁ ସବୁଠାରୁ ବଡ଼ ଦାବିଦାର ଥିଲା । କାରଣ ମଧ୍ୟ ସ୍ପଷ୍ଟ ଥିଲା - ଟିମ୍ ଇଣ୍ଡିଆ ପୂରା ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶକ୍ତିଶାଳୀ ଦଳ ଥିଲା ଏବଂ ଏହା ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିଲା । କିନ୍ତୁ ଟ୍ରଫି ଜିତି ପାରିନଥିଲା । ସେହିପରି ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ଭାରତୀୟ ଦଳ ଟାଇଟଲ୍ ପାଇଁ ଦାବିଦାର ଥିଲା, କିନ୍ତୁ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ଏବେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌କୁ ନେଇ ଭୟ ରହିଛି ଏବଂ ଏହାର କାରଣ ହେଉଛି 'ରବିବାର' ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ରବିବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପୂର୍ବରୁ ଥରେ ମୁହାଁମୁହିଁ ହୋଇସାରିଛନ୍ତି । ଲିଗ୍ ଷ୍ଟେଜରେ ଭାରତ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ଫାଇନାଲ୍‌ରେ ସମାନ ଫଳାଫଳ ହେବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ । ବିଶେଷକରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନକଆଉଟ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ରେକର୍ଡ ଦେଖିଲେ, ଏହା ହି ଅନୁମାନ କରାଯାଉଛି । 

ଏହାରି ଭିତରେ ଆୟୋଜନ ଦିନକୁ ନେଇ ମଧ୍ୟ ମ୍ୟାଚ୍ ସହ ଯୋଡ଼ା ଯାଉଛି । ରବିବାର ମ୍ୟାଚ୍ ହେଉଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଆଶଂକା ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଆଜି ପର୍ଯ୍ୟନ୍ତ ଯେତେ ICC ଟାଇଟଲ୍ ଜିତିଛି, ସେଗୁଡ଼ିକ କେବଳ ସୋମବାରରୁ ଶନିବାର ମଧ୍ୟରେ ଖେଳି ଜିତିଛି । ଭାରତ ରବିବାର ଖେଳା ଯାଇଥିବା କୌଣସି ଫାଇନାଲରେ ବିଜୟୀ ହୋଇନାହିଁ । ଏହି ଧାରା ୧୯୮୩ ବିଶ୍ୱକପ୍ ବିଜୟ ସହିତ ଆରମ୍ଭ ହୋଇଥିଲା ଏବଂ ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲରେ ବି ଜାରି ରହିଥିଲା ।

୧୯୮୩ ବିଶ୍ୱକପ୍ ଫାଇନାଲ୍ ଜୁନ୍ ୨୫ ଶନିବାର ଖେଳାଯାଇଥିଲା ଏବଂ ଭାରତ ଟାଇଟଲ୍ ଜିତିଥିଲା । ତା'ପରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହି ଫାଇନାଲ୍ ସେପ୍ଟେମ୍ବର ୨୪ ସୋମବାର ଖେଳାଯାଇଥିଲା । ୨୦୧୧ ବିଶ୍ୱକପ୍ ଫାଇନାଲ୍ ତାରିଖ ବା କିଏ ଭୁଲିପାରିବ ? ଫାଇନାଲ୍ ଏପ୍ରିଲରେ ୨ ଖେଳାଯାଇଥିଲା ଏବଂ ସେହି ଦିନ ଶନିବାର ଥିଲା । ଯଦି ଶେଷ ଚାମ୍ପିଅନ୍ସ ଟ୍ରଫିକୁ ଦେଖିବା ତେବେ ୨୦୧୩ରେ ଯେଉଁ ଦିନ ଟାଇଟଲ୍ ବିଜୟୀ ହୋଇଥିଲା, ସେ ଦିନ ସୋମବାର ଥିଲା । ୧୧ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଥରେ ICC ଟୁର୍ଣ୍ଣାମେଣ୍ଟ ଜିତିଲା । ୨୦୨୪ ଜୁନ୍ ୨୯ରେ ଯେଉଁଦିନ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଟ୍ରଫି ଉଠାଇଥିଲା, ସେହି ଦିନ ଶନିବାର ଥିଲା ।

ତେବେ ଏହା ଥିଲା ଏହା ଟିମ୍ ଇଣ୍ଡିଆର ବିଜୟର କଥା । ଯଦି ଏହା କେବଳ ଏକ ସଂଯୋଗ ବୋଲି ଭାବୁଛନ୍ତି ତେବେ ଫାଇନାଲରେ ପରାଜୟ ପଛର ରେକର୍ଡ ବି ନଜର ପକାନ୍ତୁ । କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଭାରତର ପ୍ରଥମ ପରାଜୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିଲା । ୨୫ ବର୍ଷ ପୂର୍ବେ ICC ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ୨୦୦୦ ମସିହା ଅକ୍ଟୋବର ୧୫ ରବିବାର ଖେଳାଯାଇଥିଲା ଏବଂ ଭାରତ ଏହି ମ୍ୟାଚ୍‌ରେ ପରାଜିତ ହୋଇଥିଲା । 

Also Read: ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରେ ସନ୍ନ୍ୟାସ ନେବେ କି ରୋହିତ୍ ? ଗିଲ୍ ଦେଲେ ବଡ଼ ବୟାନ

ଏହାପରେ ୨୦୦୩ ବିଶ୍ୱକପର ଫାଇନାଲ୍ ମାର୍ଚ୍ଚ ୨୩ରେ ଖେଳାଯାଇଥିଲା ଏବଂ ଏହି ଦିନ ମଧ୍ୟ ରବିବାର ଥିଲା । ୨୦୧୪ ଟି-୨୦ ବିଶ୍ୱକପର ଫାଇନାଲ୍ ଏପ୍ରିଲ୍ ୬ (ରବିବାର) ହୋଇଥିଲା ଏବଂ ଭାରତ ପରାଜିତ ହୋଇଥିଲା । ୨୦୨୩ ନଭେମ୍ବର ୧୯ ମଧ୍ୟ ରବିବାର ଥିଲା । ଏହି ଦିନ ଅଷ୍ଟ୍ରେଲିଆଠାରୁ ହାରି ଦିନିକିଆ ବିଶ୍ୱକପ୍ ଫାଇନାଲ୍ ହାରିଥିଲା । ଚଳିତ ଥର ଟିମ୍ ଇଣ୍ଡିଆ ଏହି ଧାରାକୁ ଭାଙ୍ଗିପାରିବ ତ ?

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.