ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ତହବୁର ରାଣା ଗିରଫ, NIA କହିଲା-ପ୍ରତ୍ୟର୍ପଣ ସଫଳ ହୋଇଛି

Published By : Prameya-News7 Bureau | April 10, 2025 IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ତହବୁର ରାଣା ଏକ ସ୍ୱତନ୍ତ୍ର ବିମାନରେ ଗୁରୁବାର ଭାରତରେ ପହଞ୍ଚିଛି । ରାଣାକୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଛି । ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ, ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଦଳ ତାଙ୍କୁ ହେପାଜତକୁ ନେଇଛି । ରାଣା ବିରୋଧରେ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବାର ଗମ୍ଭୀର ଅଭିଯୋଗ ରହିଛି । ଏବେ NIA ତାଙ୍କୁ ପଚରାଉଚରା କରିବ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । 

ପାଲମ୍ ଏୟାରପୋର୍ଟରେ ବିମାନ ଅବତରଣ ପରେ ଏନଆଇଏ ଟିମ୍ ତହବୁର ରାଣାକୁ ଗିରଫ କରି ପଟିଆଲା ହାଉସ୍ କୋର୍ଟରେ ହାଜର କରାଇବ । ସୂଚନା ଅନୁସାରେ ରାଣାକୁ ସ୍ୱତନ୍ତ୍ର ଏନଆଇଏ ଜଜଙ୍କ ସାମନାରେ ହାଜର କରାଯିବ । ଏଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ହେବା ଅଭିଯୋଗର ଶୁଣାଣି ହେବ । କୋର୍ଟ ପରିସରକୁ ଅଭେଦ୍ୟ ସୁରକ୍ଷା ପାଚେରୀରେ ପରିଣତ କରାଯାଇଛି ।

ଆମେରିକାରୁ ଆତଙ୍କୀ ତହବୁର ରାଣାର ପ୍ରତ୍ୟର୍ପଣ ପରେ ଏନଆଇଏ ଏକ ପ୍ରେସ୍ ରିଲିଜ୍ ଜାରି କରିଛି । NIA ଏହାକୁ ଏକ ବଡ଼ ସଫଳତା ବୋଲି ଦର୍ଶାଇଛି । 

ପ୍ରେସ୍ ରିଲିଜରେ ଲେଖାଯାଇଛି, ୨୦୦୮, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି । ଦୁଇ ଦେଶ ମଧ୍ୟରେ ବହୁ ବର୍ଷର ଆଇନଗତ ଲଢ଼େଇ ଏବଂ ନିରନ୍ତର ପ୍ରୟାସ ପରେ ଏହି ପ୍ରତ୍ୟର୍ପଣ ସମ୍ଭବ ହୋଇପାରିଛି । ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ତହବୁର ରାଣାଙ୍କୁ ଆମେରିକାରେ ଅଟକ ରଖାଯାଇଥିଲା । ଭାରତ ଦ୍ୱାରା ତା’ ବିରୁଦ୍ଧରେ ପ୍ରତ୍ୟର୍ପଣ ୱାରେଣ୍ଟ ଜାରି ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରତ୍ୟର୍ପଣ ଏଡାଇବା ପାଇଁ ରାଣା ଆମେରିକୀୟ ଅଦାଲତରେ ଅନେକ ଆବେଦନ କରିଥିଲା। କିନ୍ତୁ ଶେଷରେ ତାର ସମସ୍ତ ଆଇନଗତ ବିକଳ୍ପ ବିଫଳ ହୋଇଥିଲା । ଏହାପରେ ଆମେରିକା ସରକାର ରାଣାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଅନୁମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.