ରାଜସ୍ଥାନ ସ୍କୁଲ ଭୁଶୁଡ଼ି ପଡ଼ିବା ଘଟଣା: ଛାତ ଖସିବା ପୂର୍ବରୁ ଶିକ୍ଷକଙ୍କୁ ଜଣାଇଥିଲେ ଛାତ୍ରଛାତ୍ରୀ, ହେଲେ ଶୁଣିଲେ ସାର୍‌

Published By : Prameya-News7 Bureau | July 25, 2025 IST

indiatoday

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାରରେ ଆଜି ସକାଳେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଘଟଣାରେ ୭ ଜଣ ଛାତ୍ରଙ୍କର ଜୀବନ ଯାଇଥିବା ବେଳେ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଛାତ ଭୁଶୁଡ଼ି ପଡ଼ିବା ପୂର୍ବରୁ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଛାତ କଡ଼ମଡ଼ ହେଉଛି ବୋଲି ପିଲାମାନେ କହିଥିଲେ। ହେଲେ ଜଳଖିଆ ଖାଉଥିବା ଶିକ୍ଷମାନେ ପିଲାଙ୍କ କଥାକୁ କର୍ଣ୍ଣପାତ ନ କରି ପିଲାମାନଙ୍କୁ ସ୍କୁଲ୍‌ ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଛାତ ଭୁଶୁଡ଼ି ପଡ଼ିବା ପରେ ଏଭଳି ଘଟଣା ଘଟିଥିଲା। 

ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଜଣେ ଛାତ୍ର କହିଛନ୍ତି “ପଥର ଖସି ପଡୁଥିଲା। ଛାତ୍ରମାନେ ଶିକ୍ଷକମାନଙ୍କୁ ଏହା କହିବାରୁ, ସେମାନେ ଛାତ୍ରଛାତ୍ରୀଙ୍କୁ ଗାଳି କରିଥିଲେ ଓ ଜଳଖିଆ ଖାଇବାକୁ ଲାଗିଲେ। ଯଦି ପିଲାମାନଙ୍କୁ ବାହାର କରି ନିଆ ଯାଇଥାନ୍ତା ତେବେ ଦୁର୍ଘଟଣା ଘଟି ନଥାନ୍ତା” ସ୍କୁଲରେ ସକାଳ ବେଳେ ସଭା ହେଉଥିବା ସ୍ଥାନରେ ଶିକ୍ଷକମାନେ ଜଳଖିଆ ଖାଉଥିବା ଅଭିଯୋଗ ହୋଇଛି। 

ଜଣେ ଅଷ୍ଟମ ଶ୍ରେଣୀର ପିଲା କହିଛନ୍ତି “ପିଲାମାନଙ୍କୁ ପ୍ରାର୍ଥନା ପାଇଁ ଶ୍ରେଣୀ ଭିତରେ ବସାଇ ଦିଆଯାଇଥିଲା। ଶିକ୍ଷକମାନେ ଜଳଖିଆ କରୁଥିଲେ। ଯେତେବେଳେ ଭିତରେ ପଥର ପଡ଼ିବା ଆରମ୍ଭ ହେଲା, ପିଲାମାନେ ଶିକ୍ଷକମାନଙ୍କୁ ଏହା କହିଲେ। ଶିକ୍ଷକମାନେ ପିଲାମାନଙ୍କୁ ଗାଳି ଦେଇଥିଲେ ଏବଂ ସେମାନଙ୍କୁ ଶ୍ରେଣୀ ଭିତରକୁ ପୁଣି ବସିବାକୁ କହିଥିଲେ। ଏହାପରେ, କାନ୍ଥ ଖସିଗଲା ଏବଂ ପିଲାମାନଙ୍କ ଉପରେ ଛାତ ପଡ଼ିଗଲା। ଅନେକ ପିଲା ରକ୍ଷା ପାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ, ଅନେକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ। ଏହା ପରେ ଗାଁ ଲୋକଙ୍କ ସହାୟତାରେ ପିଲାମାନଙ୍କୁ ବାହାର କରାଯାଇଥିଲା।”

ସୂଚନା ଅନୁଯାୟୀ, ସ୍କୁଲର କାନ୍ଥ ଏବଂ ଛାତ ଜୀର୍ଣ୍ଣ ଅବସ୍ଥାରେ ଥିଲା। ମାତ୍ର ଗୋଟିଏ ମାସ ପୂର୍ବରୁ ଏହାର ପ୍ଲାଷ୍ଟର କରାଯାଇଥିଲା ଓ ସିମେଣ୍ଟ ମରାଯାଇଥିଲା। ତେବେ ଦୁର୍ଘଟଣା ଘଟିବାର କିଛି ସମୟ ପରେ, ଅପରାଧିକ ଅବହେଳା ପାଇଁ ପାଞ୍ଚ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ଥାନର ଝାଲାୱାର ଜିଲ୍ଲାର ପିମ୍ପଲୋଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢ଼ୁଥିଲେ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.