‘ଲିପ୍‌ଷ୍ଟିକ୍‌ ଗନ୍‌’ରେ ମହିଳାଙ୍କ ସୁରକ୍ଷା, ବ୍ୟାଡ୍‌ ଟଚ୍‌ କରିବା ମାତ୍ରେ ଦେଖାଇବ ଆକ୍ସନ୍‌

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ ୧୧।୦୩: ଦିନକୁ ଦିନ ବଢୁଛି   ଅପରାଧ। ଖାସ୍‌ କରି ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ସାମ୍ନାକୁ ଆସୁଛି । ଏଥିପାଇଁ ଆବଶ୍ୟକ ହୋଇ ପଡିଛି ମହିଳାଙ୍କ ସୁରକ୍ଷା । ଆଉ ଏନେଇ ଅଣ୍ଟା ଭିଡିଛନ୍ତି ଉତ୍ତରପ୍ରଦେଶ  ଗୋରଖପୁରର ୨ ଛାତ୍ରୀ । ଏମାନେ ମହିଳା ଦିବସ ଅବସରରେ ଆଣିଛନ୍ତି ଲିପ୍‌ଷ୍ଟିକ୍‌ ଗନ୍‌ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା । ଏହି ୨ଜଣ ହେଉଛନ୍ତି ବିଟେକ୍‌ର ଦ୍ବିତୀୟ ବର୍ଷର ଛାତ୍ରୀ । 

ଏମାନେ ଏହି ଖାସ୍‌ ଡିଭାଇସ୍‌ ଜରିଆରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସ୍ୱତନ୍ତ୍ର ଡିଭାଇସ୍ ଦେଖିବାକୁ ସାଧାରଣ ଲିପଷ୍ଟିକ୍‌ ଭଳି । କିନ୍ତୁ ଏଥିରେ ଏକ ୫ ମିମିର ବ୍ୟାରେଲ୍‌ ରହିଛି । ସେଥିମଧ୍ୟରେ ନାଲି ଲଙ୍କା ଗୁଣ୍ଡ ବୁଲେଟ୍‌ ଭଳି ଭର୍ତ୍ତି ହୋଇଛି । 

କୌଣସି ଅସୁବିଧାଜନକ ପରିସ୍ଥିତିରେ ପୀଡ଼ିତା ଯଦି ଏହି ‘ଲିପଷ୍ଟିକ୍‌ ଗନ୍‌’ର ବଟନ୍‌କୁ ଦବାନ୍ତି ତେବେ ସେଥିରୁ ଲଙ୍କା ଗୁଣ୍ଡ ବୁଲେଟ୍‌ ବାହାରି ଆତତାୟୀଙ୍କ ଆଖିରେ ଜ୍ୱଳନ ସୃଷ୍ଟି କରିବ । ସେଥିଯୋଗୁ ସାମୟିକ ଭାବେ ସେ କିଛି ଦେଖିପାରିବେ ନାହିଁ । ଏହି ସୁଯୋଗରେ ମହିଳା ଖସି ପଳାଇବାକୁ ସମୟ ପାଇଯିବେ । ସେହିପରି ଗନ୍‌ରୁ ଫାୟାରିଂ ହେବା ପରେ ତୀବ୍ର ଶବ୍ଦ ଶୁଣି ଆଖପାଖର ଲୋକେ ସତର୍କ ହୋଇଯିବେ ଓ ତାଙ୍କୁ ସହାୟତା ଲାଗି ଆଗେଇ ଆସିବେ । ଆବଶ୍ୟକ ସ୍ଥଳେ ସେହି ଗନ୍‌ରୁ ପୁଲିସ ଓ ପରିବାର ଲୋକଙ୍କୁ ଜରୁରିକାଳୀନ ଫୋନ୍‌ ସହିତ ଲୋକେସନ୍‌ ମଧ୍ୟ ପଠାଇବାର ବ୍ୟବସ୍ଥା ରହିଛି । 

ଏହାର ଦାମ୍‌ ରହିଛି ୨୦୦୦ ଟଙ୍କା ।‘ଲିପଷ୍ଟିକ୍‌ ଗନ୍‌’କୁ ସ୍ୱତନ୍ତ୍ର କାର୍ବନ ଫାଇବରରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ମାତ୍ର ୫୦ ଗ୍ରାମ । ଏହାକୁ ବନାଇବା ଲାଗି ଭଏସ୍‌ ମୋଡ୍ୟୁଲ, ୩ ଭୋଲ୍‌ଟର ବ୍ୟାଟେରୀ, ମେଟାଲ ପାଇପ୍‌, ବଟନ, ମାଇକ୍ରୋଫୋନ୍‌ ଆଦିର ବ୍ୟବହାର କରାଯାଇଛି ।

‘ଲିପଷ୍ଟିକ୍‌ ଗନ୍‌’ ତିଆରି କରିଥିବା ଇସ୍ରତ୍‌ ଖାନ୍‌ ଓ ଶ୍ରୀଷ୍ଟି ଶ୍ରୀବାସ୍ତବ ଗୋରଖପୁର ଆଇଟିଏମ୍‌ ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ । ସେମାନେ କହିଛନ୍ତି, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଘଟଣାକୁ ଦେଖି ସେମାନେ ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି । ଅସୁବିଧା ସମୟରେ ଏହା ଆତ୍ମରକ୍ଷା ଲାଗି ମହିଳାମାନଙ୍କର ଅମୋଘ ଅସ୍ତ୍ର ପାଲଟିବ ।

ଆଇଟିଏମ୍‌ ଇଞ୍ଜିନିୟରିଂ କଲେଜର ଡିନ୍‌ ଛାତ୍ରୀଦ୍ୱୟଙ୍କର ଏହି ଉଦ୍ଭାବନକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଅଭିନବ ପ୍ରକଳ୍ପ ମହିଳାମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଏକ ବଡ଼ ପଦକ୍ଷେପ ପାଲଟିବ । ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍‌ ଓ ସ୍ମାର୍ଟଫୋନ୍‌ ବଣ୍ଟନ ପରି ‘ଲିପଷ୍ଟିକ୍‌ ଗନ୍‌’ ବି ବଣ୍ଟନ କରାଯିବା ଆବଶ୍ୟକ ବୋଲି ଇସ୍ରତ ଓ ଶ୍ରୀଷ୍ଟି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.